ଏପଟେ ପୂଜା, ସେପଟେ ୩ ହତ୍ୟା : ବାଲିକୁଦାରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ!, ଅସ୍ତରଙ୍ଗରେ ବାପା ଆଗରେ ପୁଅକୁ ହାଣିଦେଲେ, ଦୈତାରୀରେ ଯୁବକଙ୍କୁ କଚାଡ଼ି ହତ୍ୟା

ଅସ୍ତରଙ୍ଗ / ହରିଚନ୍ଦନପୁର/ କାଳିଆପାଣି, ବାଲିକୁଦା : ସମଗ୍ର ରାଜ୍ୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଥିବା ବେଳେ ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଜଗତସିଂହପୁରର ବାଲିକୁଦା ଓ େକନ୍ଦୁଝର ଜିଲ୍ଲାର ଦୈତାରୀ ଅଞ୍ଚଳରେ ଅତ୍ୟନ୍ତ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅସ୍ତରଙ୍ଗରେ ବାପା ସାମ୍ନାରେ ପୁଅକୁ ଦୁର୍ବୃତ୍ତମାନେ ହାଣି ହତ୍ୟା କରିଛନ୍ତି। ବାପା ସାଧୁ ସ୍ବାଇଁଙ୍କ ଆଖି ସାମ୍‌ନାରେ ପୁଅ ଦିଲ୍ଲୀପ ସ୍ବାଇଁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦୈତାରୀ କଲୋନିସ୍ଥିତ ଛାତବିଲ୍ଡିଂ ସାହିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ କଚାଡ଼ି ହତ୍ୟା କରାଯାଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତର ଦେବଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗାଁ ସ୍କୁଲ ଛାତ ଉପରେ ଜଣେ ଯୁବକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି।

ଆମ ବାଲିକୁଦା ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଢଙ୍ଗା ପଞ୍ଚାୟତର ଦେବଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗାଁ ସ୍କୁଲ ଛାତ ଉପରେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ତାଙ୍କ ପରିଚୟ ମିଳିନାହିଁ। ଘଟଣାସ୍ଥଳରୁ ଯୁବକଙ୍କ ଜୋତା, ଛୁରି ଓ ଅଧା ପୋଡ଼ା ଦିଆସିଲି କାଠି ଜବତ କରାଯାଇଛି। କିଏ ଓ କାହିଁକି ଏହି ଯୁବକଙ୍କୁ ଜାଳିଦେଲେ, ତାହା ରହସ୍ୟାବୃତ୍ତ ହୋଇରହିଛି।

ଗତକାଲି ରାତିରେ ଦେବଗ୍ରାମରେ ମା’ ଦେବୀଙ୍କ ମହାଷ୍ଟମୀ ପୂଜା ଚାଲିଥିଲା। ଗାଁ ମୁଣ୍ତରେ ଥିବା ଉପ୍ରା ବିଦ୍ୟାଳୟ ଛାତ ଉପରେ କେହି ଜଣେ ଚିତ୍କାର କରୁଥିବା ଲୋକେ ଶୁଣିବାକୁ ପାଇଥିଲେ। ଗାଁ ଲୋକେ ପହଞ୍ଚି ଜଣେ ଯୁବକଙ୍କୁ ଜଳୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବରପାଇ ପୁଲିସ ପହଞ୍ଚିବା ବେଳକୁ ଯୁବକଙ୍କ ଶରୀରର ୯୦ ଭାଗ ଜଳି ସାରିଥିବାରୁ ତାଙ୍କ ପରିଚୟ ଜାଣିବା ସମ୍ଭବ ହୋଇପାରି ନଥିଲା। ପୁଲିସ ତାଙ୍କୁ ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଛାତ ଚଟାଣ ଉପରେ ରକ୍ତରେ ‘ମଧୁ’ ବୋଲି ଲେଖା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଏକ ହତ୍ୟାକାଣ୍ତ ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଛି। ଏହି ଅପରିଚିତ ଯୁବକ ଜଣକ କେଉଁ କାରଣରୁ ଏଠାରେ ଆସି ଆତ୍ମହତ୍ୟା କରିଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ ଦୁଇଜଣ ଯୁବକ ଖୁବ୍ ଜୋରରେ ବାଇକ୍‌ ଚଲାଇ ବାଲିକୁଦା ରାସ୍ତାରେ ଚାଲି ଯାଇଥିଲେ। ଏହି ଯୁବକ ଦ୍ବୟ ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଯୁବକଙ୍କ ପରିଚୟ ଜାଣିବା ପାଇଁ ସ୍ଥାନୀୟ ଲୋକଙ୍କ ବୟାନକୁ ଭିତ୍ତି କରି ପୁଲିସ ଯୁବକଙ୍କ ପୋଡା ଶରୀରର ଫଟୋ ଖୋର୍ଦ୍ଧା ଏସ୍‌ପିଙ୍କ ନିକଟକୁ ପଠାଇଛି।

ଆମ ଅସ୍ତରଙ୍ଗ ପ୍ରତିନିଧିଙ୍କ ସୂଚନା ଅନୁସାରେ, ସ୍ଥାନୀୟ ଆଳସାହି ଭୀମା ଛକରେ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ବାପ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ବାପା ସାଧୁ ସ୍ବାଇଁଙ୍କ ଆଖି ସାମ୍‌ନାରେ ପୁଅ ଦିଲ୍ଲୀପ ସ୍ବାଇଁଙ୍କୁ ହାଣି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ଆକ୍ରମଣରେ ବାପା ସାଧୁ ସ୍ବାଇଁ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ଭୀମା ଛକ ଓ ଅସ୍ତରଙ୍ଗ ମୁଖ୍ୟ ବଜାରରେ ରାସ୍ତାରୋକ କରିଥିଲେ।

ହରିଚନ୍ଦନପୁର ଓ କାଳିଆପାଣି ପ୍ରତିନିଧିଙ୍କ ରିେପାର୍ଟ ଅନୁସାରେ, ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦୈତାରୀ କଲୋନିସ୍ଥିତ ଛାତବିଲ୍ଡିଂ ସାହିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ କଚାଡ଼ି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଉକ୍ତ ବସ୍ତିରେ ରହୁଥିବା ଠିକା ଶ୍ରମିକ ଲକ୍ଷ୍ମଣ ନାଏକ (୪୧)। ହତ୍ୟା ପରେ ଖସିଯିବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତ ସୁନରାମ ମାଝୀ ଓରଫ ରିଣ୍ଟୁ (୩୫)କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର