ବ୍ୟାଟ୍‌ରେ ପିଟିପିଟି ୩ ଜଣଙ୍କୁ ହତ୍ୟା, ମୃତକଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ, ଜଣେ ବୃଦ୍ଧା

ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋଡ଼ିଦେଲେ, ଗୁଣିଗାରେଡ଼ି ସନ୍ଦେହ, ୪ ଅଟକ

ରାୟଗଡା: ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ନିର୍ମମ ହତ୍ୟା! ଏହି ହତ୍ୟା ଏତେ ବୀଭତ୍ସ ଯେ ଦେଖଣାହାରୀଙ୍କ ବାକ୍‌ଶୂନ୍ୟ ହୋଇଯାଇଛନ୍ତି। ଲୋକଙ୍କ ସର୍ବସମ୍ମୁଖରେ ଦୁର୍ବୃତ୍ତ ୩ ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ପତି-ପତ୍ନୀ ଏବଂ ଆଉ ଜଣେ ବୃଦ୍ଧା। ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ଶବକୁ ବି ପୋଡ଼ି ଦେଇଛନ୍ତି। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ଉକ୍କମ୍ବାଗୁଡା ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗତ ୨୩ ତାରିଖ ରାତିର ଘଟଣା। ସେହି ରାତିରେ କିଛି ଯୁବକ ଗ୍ରାମର ଗୋପାଳ ଶବର (୪୫)ଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପ୍ରଥମେ ଗୋପାଳଙ୍କୁ ଓ ପରେ ତାଙ୍କ ପତ୍ନୀ ଲକ୍ଷ୍ମୀ (୪୦)ଙ୍କୁ ଗାଁ ଦାଣ୍ଡରେ ଟାଣି ଟାଣି ବାବୁ ଦେବତା ମନ୍ଦିର ପାଖକୁ ନେଇଥିଲେ। ଉଭୟଙ୍କୁ ବନ୍ଧକ ରଖି ଜାଙ୍ଗିଲି ଶବର (୭୬)କୁ ମଧ୍ୟ ଘରୁ ଟାଣି ଆଣିଥିଲେ। ୩୦ରୁ ୪୦ ଲୋକଙ୍କ ଉପସ୍ଥିତିରେ କ୍ରିକେଟ ବ୍ୟାଟରେ ପିଟିପିଟି ଏମାନଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଶବ ପୋଡ଼ି ଦେଇଥିଲେ ବୋଲି ଗୋପାଳଙ୍କ ଝିଅ ସବିତା ଶବର ଗୁଣପୁର ଥାନାରେ ଅଭିଯୋଗ କରିଛନ୍ତି। ସବିତା ଭୁବନେଶ୍ବର ରହୁଥିବାରୁ ଏ ସଂପର୍କରେ ବିଳମ୍ବରେ ଖବର ପାଇଥିଲେ। ଗତକାଲି ଗାଁରେ ପହଞ୍ଚି ବାପା, ମା’ଙ୍କୁ ବହୁତ ଖୋଜାଖୋଜି କରିଥିଲା। କିନ୍ତୁ କୌଣସି ଖୋଜ୍ ଖବର ନ ମିଳିବାରୁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୁଣପୁର ଏସ୍‌ଡିପିଓ ରାଜ କିଶୋର ଦାସଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଉକ୍କମ୍ବାଗୁଡା ଗାଁରେ ପହଞ୍ଚି ଡଗ୍ ସ୍କ୍ବାଡ ଦ୍ବାରା ତଦନ୍ତ ଆରମ୍ଭ କରିଛନ୍ତି। ଡଗ୍ ସ୍କ୍ବାଡ କୌଣସି ସୁରାକ୍ ନ ପାଇବାରୁ ରାୟଗଡା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ବିଭିନ୍ନ ଦିଗକୁ ଯାଞ୍ଚ କରିଥିଲେ। କିନ୍ତୁ ମୃତକଙ୍କ ଶବ କେଉଁଠି ଦାହ କରାଯାଇଛି ସେ ସଂପକର୍ରେ କିଛି ସୂଚନା ପାଇ ପାରିନଥିଲେ। ହତ୍ୟାକାଣ୍ଡରେ ସଂପୃକ୍ତ କିଛି ଦୁର୍ବୃତ୍ତ ଫେରାର୍ ଥିବାବେଳେ ସନ୍ଦେହହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ଏହି ଘଟଣାପରେ , ଉକ୍କମ୍ବାଗୁଡା ଗାଁ ପୁରୁଷଶୂନ୍ୟ ହୋଇ ପଡିଛି।

ଅନ୍ୟପକ୍ଷରେ, ଏହି ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ହେଉଛି ମୃତ ଗୋପାଳଙ୍କ ୧୧ ବର୍ଷର ପୁଅ। ଆଖି ସାମ୍ନାରେ ବୀଭତ୍ସ ଭାବେ ବାପା, ମା’ଙ୍କ ହତ୍ୟା ଦେଖିଥିବାରୁ ଭୟଭୀତ ଅବସ୍ଥାରେ ରହିଛି। ଏତେ ମାତ୍ରାରେ ସେ ଆତଙ୍କିତ ଅବସ୍ଥାରେ ରହିଛି ଯେ ଘଟଣା ସଂପର୍କରେ କାହାକୁ କିଛି କହିପାରୁନି। ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବାନୁସାରେ, କିଛିଦିନ ପୂର୍ବରୁ ଜ୍ବରରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଫଳରେ, ଗୁଣିଗାରେଡିରେ ଏହି ୩ ଜଣ ଲିପ୍ତ ଥିବା ସନ୍ଦେହରେ ଏଭଳି ଜଘନ୍ୟକାଣ୍ଡ ଘଟିଛି। ସଚେତନତା ଅଭାବରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକମାନଙ୍କ ମନରୁ ଏପର୍ଯ୍ୟନ୍ତ ଅନ୍ଧବିଶ୍ବାସ ହଟିନାହିଁ। ଫଳରେ, ଏହିଭଳି ଘଟଣା ବାରମ୍ବାର ଘଟି ଚାଲିଛି। ସରକାର , ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର