୩ ନକଲି ନକ୍ସଲ ଗିରଫ

ଜୟପୁର : କୋରାପୁଟର ଜୟପୁର ସଦର ଥାନା ପୁଲିସ୍‌ ୩ ଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି। ଏମାନ ନିଜକୁ ବୈପାରିଗୁଡା-ନାଗାବଳୀ ଡିଭିଜନ୍‌ ନକ୍ସଲ ସଂଗଠନ ନାମରେ ଜୟପୁର ଓ ଆଖପାଖ ଅଞ୍ଚଳର ବ୍ୟବସାୟୀଙ୍କୁ ଧମକଚମକ ଦେଇ ଅର୍ଥ ସଂଗ୍ରହ କରୁଥିଲେ। ଗତକାଲି ପାଟ୍ରୋଲିଂ ସମୟରେ ପୁଲିସ୍‌ ସେମାନଙ୍କୁ ଧରିଥିବାବେଳେ ଅନ୍ୟ ୩ ଜଣ ଫେରାର୍‌ ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ହାଟପେଟା ନୂଆଗୁଡାର ଦୈତାରୀ ଖିଲ (୨୮), ଜୟପୁର ସଦର ଥାନା ଅନ୍ତର୍ଗତ ଶୁଖିଆଗୁଡା କଳାଗୁଡା ଗାଁର ସୋମନାଥ ପାଙ୍ଗୀ (୩୦) ଓ କୋଟା ଛକ ନିକଟ ଗୌଡଗୁଡାର ପ୍ରଭୁ ଗୌଡ (୧୯)। ପୁଲିସ୍‌ର ସୂଚନା ଅନୁସାରେ, ଗତକାଲି ଏହି ୩ ଜଣଙ୍କ ସମେତ ୬ ଜଣ ଡକାୟତି ପାଇଁ ଯୋଜନା କରୁଥିବାବେଳେ ପୁଲିସ୍‌ ଚଢ଼ାଉ କରିଥିଲା। ୩ ଜଣ ଧରାପଡ଼ିଥିବାବେଳେ ଅନ୍ୟ ୩ ଜଣ ଖସିଯିବାକୁ ସକ୍ଷମ ହୋଇଥିଲେ। ଜେରା ପରେ ସେମାନଙ୍କ କାର୍‌ନାମା ଧରାପଡ଼ିଥିଲା। ସେମାନେ ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଗିରଫ ୩ ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର