ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମସିଂହଭୂମ ଜିଲ୍ଲା ଟଣ୍ଟୋ ଓ ଗୋଏଲକେରା ନିକଟସ୍ଥ ଜଙ୍ଗଲରେ ନକ୍ସଲବିରୋଧୀ ସର୍ଚ୍ଚ ଅପରେସନ୍ବେଳେ ସିଆର୍ପିଏଫ୍ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଦୀପାବଳୀରେ ବଡ଼ଧରଣର ହିଂସାକାଣ୍ଡ ଯୋଜନା କରୁଥିବା ତିନି ଦୁର୍ଦ୍ଦାନ୍ତ ନକ୍ସଲକୁ ସୀମାନ୍ତ ହୁସିପି ଗାଁରୁ ଗିରଫ କରାଯାଇଛି। ଗିରଫ ନକ୍ସଲମାନେ ହେଲେ ଡେବାୟ ପୁର୍ତ୍ତି, ଜୁରିଆ ବାହାନ୍ଦା ଓରଫ ମାଟା, ସୁନ୍ଦରଗଡ଼ ବିଶ୍ରା ଗୋଏଲକେରା ଥାନା ବୋଇପାଇସସାଙ୍ଗ ଗାଁର ଲେବିଆ ବୋଇପାଇ। ଏମାନଙ୍କ ନିକଟରୁ ଆଇଇଡି ବୋମା ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।
ସୀମାନ୍ତ ଜଙ୍ଗଲରେ ବଡଧରଣର ହିଂସାକାଣ୍ଡ ଘଟାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଟାର୍ଗେଟ୍ରେ ଥିଲେ ଯବାନ ଓ ପୁଲିସ ସୂଚନାଦାତା। ଗୁପ୍ତ ସୂଚନା ଆଧାରରେ ସିଆର୍ପିଏଫ୍ ଯବାନ ଓ ସ୍ଥାନୀୟ ପୁଲିସ ସମ୍ପୃକ୍ତ ଗାଁକୁ ଘେରାବନ୍ଦୀ କରି ତିନି ନକ୍ସଲକୁ କାବୁ କରିଥିଲେ। ଆଜି ଗୋଏଲକେରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗିରଫ ୩ ନକ୍ସଲଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ସୀମାନ୍ତ ଗୋଏଲକେରା ଥାନା ଅନ୍ତର୍ଗତ ଜଙ୍ଗଲ ରାସ୍ତାରେ ଯବାନମାନଙ୍କୁ ଟାର୍ଗେଟ୍ କରିବା, ଆଇଇଡି ବୋମା ବିସ୍ଫୋରଣ କରି ସୀମାନ୍ତ ଜଙ୍ଗଲରେ ନିଜର ଉପସ୍ଥିତି ଜାହିର କରିବା, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଆ ଥାନାରୁ ମାରଣାସ୍ତ୍ର ଲୁଟ୍, ଯବାନମାନଙ୍କ ପାଇଁ ରାସନ ସାମଗ୍ରୀ ନେଇ ସିଆର୍ପିଏଫ୍ କ୍ୟାମ୍ପକୁ ଯାଉଥିବା ଟ୍ରାକ୍ଟରକୁ ବିସ୍ଫୋରଣରେ ଉଡ଼ାଇବା ଆଦି ଘଟଣାରେ ଏମାନଙ୍କର ସମ୍ପୃକ୍ତି ରହିଛି। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟମାସ ଓ ଏହା ପୂର୍ବରୁ ନକ୍ସଲଙ୍କ ଗୁଳି ଓ ବିସ୍ଫୋରଣରେ ଯବାନଙ୍କ ସହ ୫ରୁ ଅଧିକ ଲୋକଙ୍କ ଜୀବନଯାଇଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ନିରୀହ ଆଦିବାସୀ। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଟିଫିନ୍ ବୋମା ବିସ୍ଫୋଣରେ ତାଙ୍କର ଜୀବନ ଯାଇଛି।