ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ରବିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ସ୍ବାସ୍ଥ୍ୟ ବିଭାଗ ୱେବସାଇଟ୍ ଦେଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏଥିସହ ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବଢ଼ିଛି। ଗତକାଲି ରାତିରେ ଯାଜପୁର ଜିଲ୍ଲାରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଥିଲା।
ଅପରପକ୍ଷରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫଳରେ ଜିଲ୍ଲାର ସମସ୍ତ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସୁନ୍ଦରଗଡ଼ କରୋନା ମୁକ୍ତ ହୋଇଥିଲା। ମାତ୍ର ଏହି ଘଟଣାକୁ ୨୪ ଘଣ୍ଟା ନପୂରୂଣୁ ପୁଣି ୩ ଜଣ ଆକ୍ରାନ୍ତ ହେବା ଜିଲ୍ଲାବାସୀଙ୍କୁ ଚିନ୍ତିତ କରିଛି।
/sambad/media/post_attachments/wp-content/uploads/2020/04/health-1.jpg)
୨୫ ତାରିଖ ସକାଳ ସୁଦ୍ଧା ରାଜ୍ୟରେ ୨୨୮୧୬ କୋଭିଡ ନମୁନା ପରୀକ୍ଷା ହୋଇଛି ଏବଂ ୪୯୭୫ଟି ରାପିଡ୍ ଆଣ୍ଟିବଡି ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଯାବତ୍ ସମୁଦାୟ ୩୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ପୁରୀ, କଟକ, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି।
ଗତକାଲି ଯାଜପୁରରୁ ଚିହ୍ନଟ ହୋଇଥିବା ୬ଜଣ ଯାକ ନୂଆ କରୋନା ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖରେ କୋଲକାତାରୁ ଫେରିଥିଲେ। ଏହାପରେ ସେମାନେ ସରକାରୀ ସଙ୍ଗରୋଧରେ ୧୪ ଦିନ କାଟି ଘରକୁ ଫେରିଥିଲେ। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩, ୪୯, ୫୨, ୫୭,୩୯ ଓ ୫୦ ଏବଂ ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି। ସଂଗରୋଧରେ ରହିବା ପରେ ଆକ୍ରାନ୍ତ ଘରକୁ ଫେରିଥିବାରୁ ଅନେକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/103-copy-1.jpg)