କୋଭିଡ୍-୧୯ ମୁକାବିଲା ପାଇଁ ଚତୁର୍ଥ ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ
୭ଟି ପ୍ରସ୍ତାବ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଏନ୍ସିସି ଓ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବାକୁ ପ୍ରସ୍ତାବ
ଭୁବନେଶ୍ବର : ଆସନ୍ତା ୧୨ ତାରିଖରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ୍ରେ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ଆରମ୍ଭ ହେବ। ସେହିପରି ଏପ୍ରିଲ ୧୫ ତାରିଖରୁ ବୁର୍ଲା ଭିମ୍ସାର ଓ ୧୭ ତାରିଖରୁ ରାଉରକେଲା ଆଇଜିଏଚ୍ରେ ନମୁନା ପରୀକ୍ଷା କରାଯିବ। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ କରୋନା ମୁକାବିଲା ସଂକ୍ରାନ୍ତ ଅନ୍ତଃମନ୍ତ୍ରୀସ୍ତରୀୟ ଚତୁର୍ଥ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଣିକି ଦୈନିକ ୧୦୦୦ ନମୁନା ପରୀକ୍ଷା କରାଯିବ। ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଚିକିତ୍ସା ସେବାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ୭ଟି ପ୍ରସ୍ତାବ ଦେଇଛନ୍ତି।
ବୈଠକରେ ଶ୍ରୀ ଦାସ ପ୍ରସ୍ତାବ ଦେଇ କହିଥିଲେ, ଭିମ୍ସାର୍ରେ ଅତ୍ୟାଧୁନିକ ମାଇକ୍ରୋ ଲାବୋରେଟାରି କରିବା ପାଇଁ ଆଇସିଏମ୍ଆର୍ ଠାରୁ ଶୀଘ୍ର ଅନୁମତି ଅଣାଯାଉ। କରୋନା ସଂକ୍ରମଣ ବ୍ୟାପିବା ପରେ ଦିଲ୍ଲୀ ଏମ୍ସରେ ଯେଭଳି ଭାବରେ ଲୋକମାନଙ୍କୁ ସାନିଟାଇଜ୍ କରାଯାଉଛି ସେହିପରି ଓଡ଼ିଶାର ଏସ୍ସିବି ମେଡିକାଲ୍, ଆଚାର୍ଯ୍ୟ ହରିହର କର୍କଟ ମେଡିକାଲ ସମେତ ଅନ୍ୟ ହସ୍ପିଟାଲଗୁଡ଼ିକୁ ସାନିଟାଇଜ୍ କରାଯାଉ। ବୁର୍ଲା ମେଡିକାଲକୁ ଯୋଗାଇ ଦିଆଯାଇଥିବା ୨୨ଟି ନୂଆ ଭେଣ୍ଟିଲେଟର୍କୁ ସମ୍ବଲପୁର କିମ୍ବା ବୁର୍ଲାରେ ପ୍ରତିଷ୍ଠା ହୋଇଥିବା କୋଭିଡ୍ ହସ୍ପିଟାଲରେ ବ୍ୟବହାର କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୨୪୩୨ ଜଣ ଷ୍ଟାଫ୍ ନର୍ସ, ୭୨୯ ଜଣ ଫାର୍ମାସିଷ୍ଟ୍, ୬୧୦ ଜଣ ଲାବୋରେଟାରି ଟେକ୍ନିସିଆନ୍, ୨୯୧ ଜଣ ରେଡିଓଗ୍ରାଫି, ୧୭୩୫ ଏମ୍ପିଏଚ୍ଡବ୍ଲ୍ୟୁ (ପୁରୁଷ) ଓ ୨୧୬୩ ଜଣ ଏମ୍ପିଏଚ୍ଡବ୍ଲ୍ୟୁ (ମହିଳା) ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦନ ଦେଇଛନ୍ତି। ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେଇ ପ୍ରଶିକ୍ଷଣ ପାଇଁ ପଠାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଉଚ୍ଚସ୍ତରୀୟ ବୈଠକରେ ଦାବି କରିଥିଲେ। ସେହିପରି ବିଭିନ୍ନ ଜିଲ୍ଲାରେ ଥିବା ଡାକ୍ତରମାନଙ୍କୁ କୋଭିଡ୍ ପ୍ରଶିକ୍ଷଣ ପ୍ରଦାନ କରି କୋଭିଡ୍ ହସ୍ପିଟାଲଗୁଡ଼ିକରେ ନିୟୋଜିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
ମହାମାରୀ କରୋନା ଚିକିତ୍ସା କ୍ଷେତ୍ରରେ ବହୁ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀମାନଙ୍କ ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଏନ୍ସିସି କ୍ୟାଡର୍, ଏନ୍ଏସ୍ଏସ୍ , ଏନ୍ଓ୍ବାଇକେଏସ୍, ଆଇଆର୍ସିଏସ୍ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେଇ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତି। ଏହାସହିତ ସବୁ ଜିଲ୍ଲାରେ ଥିବା ଆୟୁର୍ବେଦ ଓ ହୋମିଓପାଥି ଡାକ୍ତରଖାନାମାନଙ୍କରେ ଥିବା ଡାକ୍ତର ଓ ଅନ୍ୟମେଡିକାଲ କର୍ମଚାରୀମାନଙ୍କୁ ବି କୋଭିଡ୍ ପ୍ରଶିକ୍ଷଣ ଦିଆଯିବ। କୋଭିଡ୍ ହସ୍ପିଟାଲରେ ଯୋଗଦେବାକୁ ଥିବା ଡାକ୍ତର, ନର୍ସ୍ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କର ରହିବା ପାଇଁ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ଏବେଠାରୁ ସବୁ ଜିଲ୍ଲାରେ ଆବାସ ବ୍ୟବସ୍ଥା କରିବାକୁ ବୈଠକରେ ଆଲୋଚନା ହୋଇଥିଲା।
କରୋନା ରୋଗର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ପାଖରେ ୭୦ ହଜାର ପିପିଇ କିଟ୍ ମହଜୁଦ ଅଛି। ଏହାସହିତ ୬୫ ହଜାର ଏନ୍-୯୫ ମାସ୍କ, ୭୮ ଲକ୍ଷ ମେଡିକେଟେଡ଼୍ ମାସ୍କ ଓ ସାନିଟାଇଜର୍ ଏବଂ ଔଷଧ ପତ୍ର ଗଚ୍ଛିତ ଥିବା ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜଣାଇଥିଲେ। ବୈଠକ ବେଳେ ଲୋକସେବା ଭବନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିବାବେଳେ ଉଚ୍ଚସ୍ତରୀୟ କମିଟିର ଅନ୍ୟସଦସ୍ୟମାନେ ଯଥା କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିଜ ନିଜ ଜିଲ୍ଲାରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।