ବାତ୍ୟା ଫନି ପରେ ଚିଲିକାରେ ଖୋଲିଲା ୩ନୂଆ ମୁହାଣ : ଅଧିକ ଲୁଣାପାଣି ମିଶିବା ଯୋଗୁଁ ଜୈବ ବିବିଧତା ପ୍ରତି ବଡ଼ ବିପଦ ଆଶଙ୍କା

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଚିଲିକାରେ ସୃଷ୍ଟି ହୋଇଛି ନୂଆ ମୁହାଣ । ଯାହା ପାଇଁ ଚିଲିକା ହ୍ରଦରେ ମିଶୁଛି ସମୁଦ୍ରର ଲୁଣାପାଣି । ସରକାରୀ ରିପୋର୍ଟକୁ ଆଧାର କରି ଜାତୀୟ ଗଣମାଧ୍ୟମ ଟାଇମ୍‌ସ ଅଫ ଇଣ୍ଡିଆ ଏନେଇ ଖବର ପ୍ରକାଶ କରିଛି ଯ ଅଧିକ ମାତ୍ରାରେ ସମୁଦ୍ର ଲୁଣାପାଣି ଏସିଆ ମହାଦେଶର ସବୁଠାରୁ ବୃହତ ଲୁଣାପାଣି ହ୍ରଦରେ ମିଶୁଥିବାରୁ ଏହାର ଜୈବ ବିବିଧତା ପ୍ରତି ବଡ଼ ବିପଦ ରହିଥିବା ନେଇ ରିପୋର୍ଟରେ କୁହାଯାଇଛି । ଅତ୍ୟଧିକ ଲୁଣାପାଣି ଚିଲିକା ହ୍ରଦରେ ଥିବା ଜଳଜୀବଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ମଧ୍ୟ ରିପୋର୍ଟରେ ଆଶଙ୍କା କରାଯାଇଛି । ବାତ୍ୟା ଫନି ପ୍ରଭାବରେ ପୁରୀ ଜିଲ୍ଲା ବାଲୁଖଣ୍ଡ ଓ କୋଣାର୍କରେ ଥିବା ବନ୍ୟଜନ୍ତୁଙ୍କ ବିଶେଷ କ୍ଷତି ହୋଇଥିବା ମଧ୍ୟ ଟାଇମ୍‌ସ ଅଫ ଇଣ୍ଡିଆ ରିପୋର୍ଟରେ କୁହାଯାଇଛି ।

ତେବେ ଏହି ଖବରର ସତ୍ୟାସତ୍ୟ ଜାଣିବା ପାଇଁ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯାଇଥିଲା । ତାଙ୍କ କହିବା ଅନୁସାରେ ବାତ୍ୟା ପୂର୍ବରୁ ଓ ପରେ ଚିଲିକାରେ ଅନୁସନ୍ଧାନ କରୁଥିବା କିଛି ଛାତ୍ରମାନେ ଏ ବାବଦରେ ତଥ୍ୟ ସଂଗ୍ରହ କରିଛନ୍ତି । ସେମାନଙ୍କ ସୂଚନା ଅନୁସାରେ ଚିଲିକାର ଉତ୍ତରକୁ ଅରକୁଦା ନିକଟରେ ସାନପାଟଣା ଗାଁ ପାଖରେ ତିନିଟି ଛୋଟ ଛୋଟ ନୂଆ ମୁହାଁଣ ସୃଷ୍ଟି ହୋଇଛି । ୬୦ମିଟରରୁ ୧୦୦ମିଟର ପର୍ଯ୍ୟନ୍ତ ଏହି ମୁହାଣ ଗୁଡିକର ଓସାର ହୋଇଥିବାବେଳେ ମଝିରେ ଛୋଟ ବାଲିକୁଦ ରହିଛି ।

The Statesman

ସମୁଦ୍ରରେ ଉଚ୍ଚ ଜୁଆର ଆସିଲେ ତିନିଟି ମୁହାଣ ମିଶିଯିବାର ମଧ୍ୟ ଆଶଙ୍କା ରହିଛି । ତେବେ ଏହି ନୂଆ ମୁହାଣର ଜୈବ ବିବିଧତା ଉପରେ କୌଣସି ପ୍ରଭାବକୁ ସେ ଅସ୍ୱିକାର କରିଛନ୍ତି । ତାଙ୍କ କହିବା ହେଲା ଚିଲିକା ୪ଟି ଭାଗରେ ବିଭକ୍ତ । ଦକ୍ଷିଣୀ ସେକ୍ଟର, ଉତ୍ତର ସେକ୍ଟର, ମଧ୍ୟ ସେକ୍ଟର ଓ ଚ୍ୟାନେଲ । ବାତ୍ୟା ଫନି ଫଳରେ ସୃଷ୍ଟି ହୋଇଥିବା ନୂଆ ମୁହାଣ ଦେଇ ସମୁଦ୍ର ଲୁଣାପାଣି କେବଳ ଚିଲିକା ଚ୍ୟାନେଲରେ ମିଶୁଛି । ତେଣୁ ଚିଲିକାର ଜଳଜୀବଙ୍କ ଉପରେ ଏହାର ବିଶେଶ ପ୍ରତିକୂଳ ପ୍ରଭାବ ପଡିବ ନାହିଁ ।

ସମ୍ବନ୍ଧିତ ଖବର