ତିହିଡ଼ି: ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ତିହିଡ଼ି ବ୍ଲକରୁ ତିନି ଜଣ କୃତକାର୍ଯ୍ୟ ହୋଇ ବ୍ଲକର ଗୌରବ ଆଣିଛନ୍ତି। ଅଚକ ପଞ୍ଚୟତ ଅଧୀନ ଉତ୍ତରବାହା ଗ୍ରାମର ଆର୍ଯ୍ୟପ୍ରଭା ଧଳ, ଭାଡ଼ପଡ଼ା ପଞ୍ଚାୟତ ଅଧୀନ ପାଟଣାସାହି ଗ୍ରାମର ସୌମ୍ୟରଂଜନ ଜେନା, କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗ୍ରାମର ପ୍ରଦ୍ୟୁମ୍ନ ଦାସ। ଆର୍ଯ୍ୟପ୍ରଭା ଧଳ ଚଳିତ ପରୀକ୍ଷାରେ ୨୨୦ତମ ସ୍ଥାନ ପାଇଥିବା ବେଳେ ଏସସିବିସି ସଂରକ୍ଷଣ ତାଲିକାରେ ୧୨ତମ ସ୍ଥାନରେ ଅଛନ୍ତି। ଆର୍ଯ୍ୟପ୍ରଭା ହେଉଛନ୍ତି ତିହିଡ଼ି ଯୁକ୍ତି ଦୁଇ କଲେଜର ଅଧ୍ୟକ୍ଷ ବିଶ୍ବଜିତ ଧଳ ଓ ମାତା ସ୍ବର୍ଗତ ମୀନାକୁମାରୀଙ୍କ ଏକମାତ୍ର ଝିଅ। ଗାଁ ସ୍କୁଲରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସହିତ ହାଇସ୍କୁଲ ପାଠ ପଢିବା ପରେ ଭଦ୍ରକ କଲେଜରେ ଯୁକ୍ତ ଦୁଇ, କଟକ ରେଭେନ୍ସାରେ ଯୁକ୍ତି ତିନି ଓ ବାଣୀବିହାରରେ ଅର୍ଥନୀତିରେ ଏମ୍ଏ ପାସ୍ କରି ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ଦେଇଥିଲେ। ଏହି ସଫଳତା ପାଇବା ପରେ ବାପା, ମା, ଭାଇ, ଭାଉଜଙ୍କୁ ଶ୍ରେୟ ଦେଇଥିବା ବେଳେ ନିଯୁକ୍ତି ପାଇବା ପରେ ସେ ନିଷ୍ଠାର ସହ ଲୋକମାନଙ୍କର ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ସୌମ୍ୟରଂଜନ ଜେନା ୧୩୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ପାଟଣାସାହି ଗ୍ରାମର ପ୍ରଦୀପ ଜେନା ଓ ବିଦ୍ୟୁତପ୍ରଭା ଜେନାଙ୍କ ଜ୍ୟେଷ୍ଠପୁତ୍ର। ସେ ବିଏସସି ପାଶ ପରେ ଏମ୍ସିଏସ୍ ପଢିଥିଲେ। ପରେ କୋଲକାତାରେ ଟିସିଏସ ଓ ଆଇବିଏମ୍ କମ୍ପାନିରେ ଚାକିରୀ କରିଥିଲେ । ୩ ବର୍ଷ ତଳେ ଓଡିଶା ସଚିବାଳୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଆସିଷ୍ଟାଣ୍ତ ଅଫିସର ଭାବେ ନିଯୁକ୍ତି ପାଇଥିଲେ । ସେ ପିତା, ମାତାଙ୍କ ସମେତ ଗୁରୁଜନମାନଙ୍କ ଆଶୀର୍ବାଦରୁ ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି।
ଦକ୍ଷିଣପାରି ଗାଁର ପରମାନନ୍ଦ ଦାସ ଓ ଜୟନ୍ତୀ ଦାସଙ୍କ ପୁଅ ପ୍ରଦ୍ୟୁମ୍ନ ଦାସ୨୬୭ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁସୂଚିତ ଜାତି ସଂରକ୍ଷଣ ତାଲିକାରେ ୩୫ତମ ସ୍ଥାନରେ ଅଛନ୍ତି। ଏମବିଏ ପାଠ ପଢିବା ପରେ ସଂପ୍ରତି ଆଇଡିବିଆଇ ବ୍ୟାଙ୍କ କଟକ ଶାଖାରେ ପରିଚାଳକ ଭାବେ କାର୍ଯ୍ୟରତ ରହି ସିଭିଲ୍ ସର୍ଭିସ ପରୀକ୍ଷା ଦେଇଥିଲେ। ଏହି ସଫଳତା ପାଇଁ ସେ ତାଙ୍କ ପିତା ମାତା ଓ ଗୁରୁଜମାନଙ୍କୁ ଶ୍ରେୟ ଦେଇଥିବା ବେଳେ ଜଣେ ଉତ୍ତମ ପ୍ରଶାସନିକ ଅଧିକାରୀ ହେବାର ଆଶା ରଖିଛନ୍ତି। ତିହିଡ଼ି ବ୍ଲକରେ ତିନିଜଣ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।