ବାପା, ମା’ଙ୍କୁ ହରାଇଲେ ଦିଲ୍ଲୀରେ କାର୍ଯ୍ୟରତ ୩ ଓଡ଼ିଆ ସାମ୍ବାଦିକ: ଜଣ କାର୍‌ରେ ଓଡ଼ିଶା ଫେରିଲେ, ଆଉ ଜଣେ ଦିଲ୍ଲୀରେ ମୁଖାଗ୍ନି ଦେଲେ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଲକ୍‌ଡାଉନ୍‌ରେ ଅଛି ସାରାଦେଶ। ଏହି ସମୟରେ ଦିଲ୍ଲୀରେ କାର୍ଯ୍ୟରତ ୩ ଓଡ଼ିଆ ସାମ୍ବାଦିକଙ୍କ ବାପାମା’ଙ୍କ ଦେହାନ୍ତ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ କାର୍‌ ଯୋଗ‌େ  ଓଡ଼ିଶା ଫେରିଛନ୍ତି। ଅନ୍ୟ ଜଣେ ସାମ୍ବାଦିକ ଦିଲ୍ଲୀଠାରେ ନିଜ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି। ୩ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନୂଆଦିଲ୍ଲୀରେ କାର୍ଯ୍ୟରତ ‘ସମାଜ’ର ସାମ୍ବାଦିକ ଶକ୍ତିପ୍ରସାଦ ନାୟକ। ଗତ ମାର୍ଚ୍ଚ ୨୭ ତାରିଖ ସକାଳ ୪.୧୫ରେ କଟକରେ ରହୁଥିବା ତାଙ୍କର ୭୨ ବର୍ଷ ମା’ଙ୍କର ମୃତ୍ୟୁଖବର ପାଇଥିଲେ। ମା’ଙ୍କ ଶେଷ ଇଚ୍ଛାନୁସାରେ ପୁରୀର ସ୍ବର୍ଗଦ୍ବାରରେ ଶବ ସତ୍କାର କରାଯିବ ଓ ବଡ଼ପୁଅ ହିସାବରେ ଶକ୍ତିପ୍ରସାଦଙ୍କୁ ମୁଖାଗ୍ନି ଦେବାକୁ ପଡ଼ିବ। ଲକ୍‌ଡାଉନ୍‌ ଯୋଗୁଁ ଗମନାଗମନ ବନ୍ଦ ଥିବାରୁ କୌଣସିମତେ ଦିଲ୍ଲୀରୁ କାର ଯୋଗେ ସେଠାରେ ରହୁଥିବା ସାନ ଭାଇ ଓ ଭଉଣୀଙ୍କୁ ଧରି କଟକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ବିଭିନ୍ନ ରାଜ୍ୟର ସୀମା ଅତିକ୍ରମ କରିବା ସମୟରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା। ଏହା ଅନେକ ଯନ୍ତ୍ରଣାଦାୟକ ଥିଲେ ମଧ୍ୟ ଦୀର୍ଘ ୩୬ ଘଣ୍ଟା ପରେ ସେ କଟକରେ ପହଞ୍ଚିଥିଲେ। ୨୯ ତାରିଖ ଦିନ ମା’ଙ୍କ ‌ଇଚ୍ଛାନୁସାରେ ସ୍ବର୍ଗଦ୍ବାରରେ ଶବ ସତ୍କାର କରାଯାଇଥିଲା ଓ ସେ ମୁଖାଗ୍ନି ଦେଇଥିଲେ। ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବା ପରେ ସେ ଏବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସେହିଭଳି, ଗତକାଲି ରାତିରେ ଶ୍ରମିକ ନେତା ତଥା ସାହିତ୍ୟିକ ସୌରିବନ୍ଧୁ କରଙ୍କର ମୃତ୍ୟୁ ହୋଇଯାଇଛି। ଏ ସମ୍ପର୍କରେ ଖବର ପାଇବା ପରେ ଆକାଶବାଣୀ ଦିଲ୍ଲୀରେ କାର୍ଯ୍ୟରତ ତାଙ୍କ ପୁତ୍ର ତଥା ଭାରତୀୟ ସୂଚନା ସେବାର ଅଧିକାରୀ ସୌଭାଗ୍ୟ କର ଅନ୍ତ୍ୟେଷ୍ଟକ୍ରିୟାରେ ଯୋଗ ଦେବା ପାଇଁ ସଡ଼କପଥରେ କାର ଯୋଗେ ଓଡ଼ିଶା ଯାତ୍ରା କରିଛନ୍ତି। ଅପରପକ୍ଷେ, ଗତକାଲି ଦିଲ୍ଲୀରେ ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କପିଳ ପ୍ରସାଦ ଧଳସାମନ୍ତଙ୍କ ମୃତ୍ୟୁ ଘଟିଥିଲା। କରୋନା କଟକଣା ଯୋଗୁଁ ଗମନାଗମନର ସୁବିଧା ନ ଥିବାରୁ ତାଙ୍କ ମରଶରୀରକୁ ଭୁବନେଶ୍ବର ନିଆଯାଇପାରିନଥିଲା। ଇକୋନୋମିକ୍‌ ଟାଇମ୍ସରେ ଉପକାର୍ଯ୍ୟନିର୍ବାହୀ ସମ୍ପାଦକ ରୂପେ କାର୍ଯ୍ୟରତ ତାଙ୍କର ପୁଅ ପ୍ରଣବ ଧଳସାମନ୍ତ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟସ୍ଥିତ ବ୍ରାରସ୍କୋୟାର ଶ୍ମଶାନରେ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର