ତାମିଲନାଡ଼ୁରେ ୩ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଘଟଣା : ମଦୁରାଇରେ ଶ୍ରମ ବିଭାଗର ତନାଘନା

ଲାଇସେନ୍‌ସ୍‌ ନଥିବା ଠିକାଦାରଙ୍କୁ କାରଣଦର୍ଶାଅ ନୋଟିସ୍‌

ଶ୍ରମ କମିସନର୍‌ଙ୍କୁ ରିପୋର୍ଟ ପ୍ରଦାନ

ଯାଜପୁର/ବ୍ରହ୍ମବରଦା : ତାମିଲନାଡୁ ମଦୁରାଇସ୍ଥିତ ଏକ ସୂତାକଳରେ ୩ ଜଣ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ସରକାର ଖୋର୍ଦ୍ଧାର ଅତିରିକ୍ତ ଶ୍ରମ କମିସନର ପ୍ରଦୀପ ମହାପାତ୍ରଙ୍କୁ ତଦନ୍ତ ପାଇଁ ମଦୁରାଇ ପଠାଇଛନ୍ତି। ଶ୍ରୀ ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସେପଟେ ଏହି ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଶ୍ରମିକମାନେ ଠିକାଦାର ଦେବପ୍ରସାଦ ଜେନାଙ୍କ ଜରିଆରେ ସେଠାକୁ ଯାଇଥିଲେ। ଶ୍ରୀ ଜେନାଙ୍କ ନିକଟରେ ଲାଇସେନ୍ସ ନ ଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ଆଜି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଶ୍ରମ ଅଧିକାରୀ ଶିବ ପ୍ରସାଦ ମିଶ୍ର କହିଛନ୍ତି ଯେ, ମୃତ ଶ୍ରମିକମାନଙ୍କର ଶବକୁ ଗତ ୧୦ତାରିଖରେ ସେଠାରେ ସଂସ୍କାର କରାଯାଇଛି। ପ୍ରତ୍ୟେକଙ୍କ ପରିବାରକୁ ୫୦ ହଜାର ଟଙ୍କା, ଶୁଦ୍ଧକ୍ରିୟା ପାଇଁ ୫ହଜାର ଟଙ୍କା ଓ କ୍ଷତିପୂରଣ ବାବଦରେ ୩ ଲକ୍ଷ ଟଙ୍କା ଦେବାକୁ ସଂପୃକ୍ତ ସୂତାକଳ ପକ୍ଷରୁ ଘୋଷଣା କରାଯାଇଛି। ଶ୍ରମ କମିସନର ସୁନିଲ କୁମାର ସାହୁଙ୍କ ନିର୍ଦେଶକ୍ରମେ ମୃତକଙ୍କ ପରିବାର ଏବଂ ଫେରିଥିବା ଶ୍ରମିକମାନଙ୍କୁ ଭେଟି ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର