୩ ଓଡ଼ିଆ ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ୩ ଓଡ଼ିଆଙ୍କ ସମେତ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ, କୃଷି ଓ ସମାଜସେବା ପାଇଁ କମଳା ପୂଜାରୀ ଏବଂ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଡି ପ୍ରକାଶ ରାଓଙ୍କ ବଳିଷ୍ଠ ଅବଦାନ ପାଇଁ ସେମାନଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ଗତ ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ମୋଟ୍‌ ୧୧୨ ଜଣଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ୧୧ ତାରିଖରେ ୪୭ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହଟ୍ଟାଙ୍କ ନାଁ ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା‌ କରାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନିର୍ବାଚନ ସମୟରେ ପୁରସ୍କାର ଗ୍ରହଣ ଠିକ୍‌ ହେବନି କହି ଗୀତା ପଦ୍ମ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ୩ ଜଣ ଓଡ଼ିଆ ପଦ୍ମ ପୁରସ୍କାର ଗ୍ରହଣ କରିବାପରେ ନିଜକୁ ଖୁବ୍‌ ଧନ୍ୟ ମନେ କରୁଥିବା କହିଥିଲେ। ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର