ତିନି ଅଧିକାରୀଙ୍କୁ ବଣ୍ଟା ହେଲା ବିଭାଗ : ମୁଖ୍ୟ ଶାସନ ସଚିବଙ୍କ ନିକଟରେ ୨୦, ଉନ୍ନୟନ କମିସନରଙ୍କ ନିକଟରେ ୧୫, କୃଷି ଉତ୍ପାଦନ କମିସନରଙ୍କ ନିକଟରେ ୪ ବିଭାଗ

ଭୁବନେଶ୍ବର : ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ଏବଂ ତ୍ବରିତ ବେଗରେ ଫାଇଲ୍‌ କାର୍ଯ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ କୃଷି ଉତ୍ପାଦନ କମିସନରଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ପାହ୍ୟାର ଏହି ତିନି ଅଧିକାରୀଙ୍କ ଦେଇ ସେମାନଙ୍କ ଅଧୀନସ୍ଥ ବିଭାଗର ଫାଇଲ୍‌ଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବ।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିକଟରେ ୨୦ଟି ବିଭାଗ ରହିଛି। ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଙ୍ଗଲ ଓ ପରିବେଶ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ଆଇନ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଯୋଜନା ଓ ସଂଯୋଜନା, ସଂସଦୀୟ ବ୍ୟାପାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଜଳ ସମ୍ପଦ ଏବଂ ପୂର୍ତ୍ତ ବିଭାଗ ରହିଛି ।

ସେହିଭଳି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିକଟରେ ୧୫ଟି ବିଭାଗ ରହିଛି। ବିଭାଗଗୁଡ଼ିକ ହେଲା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅବକାରୀ, ଉଚ୍ଚଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ, ଶ୍ରମ ଓ ଇଏସ୍‍ଆଇ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ବିଦ୍ୟା, କ୍ରୀଡ଼ା ଓ ଯୁବ ବ୍ୟାପାର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ମହିଳା ଓ ଶିଶୁ ବିକାଶ ଏବଂ ମିସନ୍‍ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି, ଜାନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିକାଶ ବିଭାଗ।

ସେହିଭଳି କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନିକଟରେ କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ପରିବହନ ଓ ବାଣିଜ୍ୟ ଆଦି ବିଭାଗ ରହିଛି। ଏହି ସମସ୍ତ ବିଭାଗର ଫାଇଲଗୁଡ଼ିକ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ମଧ୍ୟ ଯିବ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଫାଇଲଗୁଡ଼ିକ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ବାଟ ଦେଇ ଆସିବ। ମୁଖ୍ୟ ଶାସନ ସଚିବ ଚାହିଁଲେ ଯେକୌଣସି ବିଭାଗରୁ ଫାଇଲ ମଗାଇ ପାରିବେ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଯାଉଥିବା ଅର୍ଥ ବିଭାଗର ସମସ୍ତ ନଥି ମୁଖ୍ୟ ଶାସନ ସଚିବ ଏବଂ ଅର୍ଥମନ୍ତ୍ରୀଙ୍କ ବାଟଦେଇ ଯିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର