ଲାଞ୍ଚ ନେଇ ୩ ଅଧିକାରୀ ଭିଜିଲାନ୍ସ ହାତରେ

ଜବ୍‌କାର୍ଡ ପାଇଁ ଶ୍ରମିକଙ୍କଠୁ ଲାଞ୍ଚ, ଜିଆର୍‌ଏସ୍‌ଙ୍କୁ ବାନ୍ଧିଲା ଭିଜିଲାନ୍ସ

ବାରିପଦା/କପ୍ତିପଦା/ଶାଳଚୁଆ/କଟୁରିଆ: ଜବ୍‌କାର୍ଡଧାରୀ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବାବେଳେ କିଛି ଲାଞ୍ଚଖୋର ଅଧିକାରୀ ଓ କର୍ମଚାରୀ ଶ୍ରମିକଙ୍କୁ ଜବକାର୍ଡ କରାଇ ଦେବାପାଇଁ ହାତଗୁଞ୍ଜା ମାଗିବାକୁ ପଛାଉ ନାହାନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜବକାର୍ଡ କରାଇ ଦେବାକୁ କହି ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଜିଆର୍‌ଏସ୍‌।

ସୂଚନା ଅନୁସାରେ, କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତର କିଛି ଶ୍ରମିକ ଜବ୍‌କାର୍ଡ ପାଇଁ ଆବେଦନ କରିଥିଲେ। ଏଥିପାଇଁ ୧୮ ଜଣଙ୍କୁ ଜିଆରଏସ୍ ନିକୁଞ୍ଜ ବିହାରୀ ବିଶ୍ବାଳ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଲାଞ୍ଚ ଦେବାକୁ ଆବେଦନକାରୀ ଅସୟତା ପ୍ରକାଶ କରିବାରୁ ଜବକାର୍ଡ ମିଳିବ ନାହିଁ ବୋଲି ସେ ରୋକଠୋକ୍ ଶୁଣାଇ ଦେଇଥିଲେ। ହେଲେ ପରେ ବାଧ୍ୟହୋଇ ଶ୍ରମିକମାନେ ୫ଶହ ଟଙ୍କା ଲାଞ୍ଚ ଅଗ୍ରିମ ଆକାରରେ ତାଙ୍କୁ ଦେଇଥିଲେ। ତେବେ ଏ ନେଇ ଶ୍ରମିକମାନେ ବାଲେଶ୍ବର ଭିଜିଲାନ୍ସ ଏସ୍‌ପିଙ୍କୁ ଫୋନ ଯୋଗେ ଜଣାଇଥିଲେ।

ଭିଜିଲାନ୍ସ ଜିଆରଏସ ଶ୍ରୀ ବିଶ୍ବାଳଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଆଜି ସେ ନିଜ ଘରୁ ଲାବଣ୍ୟଦେଇପୁର ପଞ୍ଚାୟତକୁ କାର୍‌ରେ ଆସୁଥିବାବେଳେ ରାସ୍ତାରେ ତାଙ୍କୁ ଲାଞ୍ଚ ବାବଦ ଅବଶିଷ୍ଟ ୪ ହଜାର ୫୦୦ଟଙ୍କା ପ୍ରଦାନ କରିଥିଲେ ଦୁଇଜଣ ଶ୍ରମିକ। ସେପଟେ ଯୋଜନା ମୁତାବକ କିଛି ଦୂରରେ ଜଗିଥିବା ଭିଜିଲାନ୍ସ ଟିମ୍ ଜିଆରଏସ୍‌ ଶ୍ରୀ ବିଶ୍ବାଳଙ୍କୁ ଅଟକାଇ ତାଙ୍କଠାରୁ ରଙ୍ଗବୋଳା ୯ ଖଣ୍ତ ୫୦୦ ଟଙ୍କିଆ ନୋଟ୍‌ ଜବତ କରିଥିଲା।
ଜିଆରଏସ ଶ୍ରୀ ବିଶ୍ବାଳଙ୍କୁ ଗିରଫ କରିବା ପରେ ବାଲେଶ୍ବରସ୍ଥିତ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚୁରା କରୁଛି ଭିଜିଲାନ୍ସ।

୫୦ ହଜାର ଟଙ୍କା ଲାଞ୍ଚ: ଭିଜିଲାନ୍ସ ଜାଲରେ ଆରଡବଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ

ତାଳଚେର: ତାଳଚେର ଆରଡବଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଜି ପୂର୍ବାହ୍ନରେ ଜଣେ ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦ ହଜାର ନଗଦ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ତଥା ତାଳଚେର ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ଗତ କିଛିଦିନ ପୂର୍ବରୁ ତାଳଚେର ଅଞ୍ଚଳର ଜଣେ ଠିକାଦାରଙ୍କ ଏକ ବିଲ୍‌ ପାସ୍‌ କରାଇବା ପାଇଁ ତାଙ୍କୁ ୮୦ ହଜାର ଟଙ୍କା ମାଗିଥିଲେ। ହେଲେ ଉକ୍ତ ଠିକାଦାର ଜଣଙ୍କ ଏକକାଳୀନ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ। ଫଳରେ ନିର୍ବାହୀ ଯନ୍ତ୍ରୀ ଉକ୍ତ ଠିକାଦାରଙ୍କୁ ଦୁଇଟି କିସ୍ତିରେ ଟଙ୍କା ଦେବାକୁ କହିଥିଲେ।

ଠିକାଦାର ଜଣଙ୍କ ଗତ ହୋଲିଦିନ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଥମ କିସ୍ତିରେ ୩୦ ହଜାର ଟଙ୍କା ଦେଇଥିଲେ। ବାକି ରହିଥିବା ଦ୍ବିତୀୟ କିସ୍ତି ଆଜି ଦେବାର ଥିଲା। ଉକ୍ତ ଠିକାଦାର ଜଣଙ୍କ ଟଙ୍କା ଆଜି ଦେବାପାଇଁ ରାଜି ହେବା ସହିତ ସେ ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ୍‌କୁ ଏ ବାବଦରେ ଅଭିଯୋଗ କରିଥିଲେ। ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍‌ କେମିକାଲ୍ ମିଶା ୫୦ ହଜାର ଟଙ୍କା ନେଇ ଠିକାଦାରଙ୍କୁ ଦେଇଥିଲେ। ଠିକାଦାର ଏହି ଟଙ୍କା ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଦେଇଥିଲେ। ଶ୍ରୀ ସାହୁ ଠିକାଦାରଙ୍କ ବିଲ୍ ପାସ୍ କରାଇବାକୁ ଜଣେ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବରୁ ଭିଜିଲାନ୍ସ ଟିମ୍‌ କାର୍ଯ୍ୟାଳୟରେ ରହି ତାଙ୍କ ଗତିବିଧି ଅନୁଧ୍ୟାନ କରିଥିଲେ। ଠିକାଦାରଙ୍କ ବିଲ୍‌ ଟେବୁଲକୁ ଆସିବା ବେଳେ ଭିଜିଲାନ୍ସ ଟିମ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁଙ୍କ ପାଖରୁ କେମିକାଲ ମିଶା ନଗଦ ୫୦ ହଜାର ଟଙ୍କା ଜବତ କରିଥିଲେ।

ଅଧୀକ୍ଷଣ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା
ଗିରଫ କଲା ମାଲକାନଗିରି ଭିଜିଲାନ୍ସ

ଗୁଣପୁର/ମାଲକାନଗିରି: ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ ଶେଷରେ ଆଜି ଗିରଫ କରି ମାଲକାନଗିରି ଭିଜିଲାନ୍ସ। ଆଜିକୁ ମିଶାଇ ୫ଦିନ ଧରି ଭିଜିଲାନ୍ସର ଚଢ଼ଉ ଏବଂ ଯାଞ୍ଚ ଚାଲିଥିବା ବେଳେ ସଂପତ୍ତି ପରିମାଣ ବଢ଼ିବାରେ ଲାଗିଛି। ନୂଆ ନୂଆ ଠିକଣାରୁ ସଂପତ୍ତି ମିଳୁଛି। ଆଜି ଅଧୀକ୍ଷଣ ଯନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ଧରି ଭିଜିଲାନ୍ସ ଟିମ୍‌ ଗୁଣପୁର ଆସିଥିଲା। ଏଠାରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଏକ୍ସିସ୍‌ ବ୍ୟାଙ୍କରେ ଥିବା ‌ଲକରକୁ ଖୋଲାଯାଇଥିଲା। ସେଥିରୁ ପୁଣି ୩୮୫ ଗ୍ରାମ ସୁନା ଭିଜିଲାନ୍ସକୁ ମିଳିଥିଲା। ଜବତ ସୁନାରେ ୪ଟି ଚେନ୍‌, ୨ଟି ଚୁଡ଼ି ଏବଂ ୧୦ଟି ସୁନା କଏନ ରହିଥିବା ଜଣାପଡିଛି। ଗୁଣପୁରରୁ ଫେରିବା ପରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି।

ମଙ୍ଗଳବାର ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ବରେ ଜୟପୁର ଭିଜିଲାନ୍ସ ଡିଏସ୍‌ପି ଅନନ୍ତ ପ୍ରସାଦ ମଲ୍ଲିକ, ଇନସ୍‌ପେକ୍ଟର ସଞ୍ଜୟ ପ୍ରଧାନ, ଇନସ୍‌ପେକ୍ଟର ଅନୁଭା ଦାସ ପ୍ରମୁଖ ଅପରାହ୍ନ ୧୨ଟାରେ ଗୁଣପୁର ପହଞ୍ଚିଥିଲେ। ସିଧା ଏକ୍ସିସ ବ୍ୟାଙ୍କ ଶାଖାକୁ ଯାଇ ଅଧୀକ୍ଷଣ ଯନ୍ତ୍ରୀଙ୍କ ନାଁରେ ରହିଥିବା ଲକର ଖୋଲିଥିଲେ। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିବା ବେଳେ ୩୮୫ ଗ୍ରାମ ସୁନା ମିଳିଛି। ସରକାରୀ ସାକ୍ଷୀ ଭାବେ ସ୍ଥାନୀୟ ଏଲ୍‌ଆଇ ଡିଭିଜନ କନିଷ୍ଠ ଯନ୍ତ୍ରୀ ଯୋଗେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କୁବେର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଗୁଣପୁରରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏସ୍‌ଡିଓ ରୂପେ କାର୍ଯ୍ୟରତ ଥିଲେ। ଆଗକୁ ବି ତଦନ୍ତ ଜାରି ରହିବ ବୋଲି ଭିଜିଲାନ୍ସ ଟିମ୍‌ ପ୍ରକାଶ କରିଛି। ଅନ୍ୟପକ୍ଷରେ ଅଧୀକ୍ଷଣ ଯନ୍ତ୍ରୀ ରଖିଥିବା ମୋଟ ୧.୯ କିଲୋ ଓଜନର ସୁନା ମିଳି ସାରିଲାଣି। କେନ୍ଦୁଝର ଏବଂ ଭୁବନେଶ୍ବରରେ ଥିବା ବ୍ୟାଙ୍କରେ ବି ତାଙ୍କ ନାଁରେ ଲକର ରହିଛି।

ସମ୍ବନ୍ଧିତ ଖବର