ସମ୍ବଲପୁର: ପ୍ରାୟ ୫ ଦଶନ୍ଧି ତଳେ ପ୍ରସ୍ତୁତ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଂଗବତୀ ଅର୍ଦ୍ଧ ଶତାବ୍ଦୀ ପରେ ବି ଇତିହାସ ରଚି ଚାଲିଛି। ଭାରତର ଏହା ଏପରି ଏକମାତ୍ର ଗୀତ ଯାହା ପାଇଁ ଜଣେ କି ଦୁଇ ଜଣ ନୁହେଁ ୩ ଜଣ କଳାକାର ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ବା ପାଇବାକୁ ଯାଉଛନ୍ତି। ପୂର୍ବରୁ ରଂଗବତୀର ଗାୟକ ଡ. ଜିତେନ୍ଦ୍ର ହରିପାଲ୍ ଏବଂ ଗୀତିକାର ମିତ୍ରଭାନୁ ଗୌନ୍ତିଆ ପଦ୍ମଶ୍ରୀ ପାଇ ସାରିଥିଲାବେଳେ ଏବେ ଏହାର ଗାୟିକା ଡ. କ୍ରିଷ୍ଣା ପଟେଲ୍ ମଧ୍ୟ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି। ଶ୍ରୀ ଗୌନ୍ତିଆଙ୍କ ରଚିତ ରଂଗବତୀ ପ୍ରଥମେ ୧୯୭୫ ମସିହାରେ ଆକାଶବାଣୀ ସମ୍ବଲପୁରରେ ରେକର୍ଡ ହୋଇଥିଲା। ୧୯୭୬ ଏହାକୁ ପୁଣିଥରେ କୋଲକାତାର ଏକ କମ୍ପାନି ପକ୍ଷରୁ ରେକର୍ଡ କରା ଯାଇଥିଲା।
ପ୍ରଭୁଦତ୍ତ ପ୍ରଧାନ ଏହି ଗୀତ ପାଇଁ ସଂଗୀତ ସଂଯୋଜନା କରିଥିବାବେଳେ ଜିତେନ୍ଦ୍ର ଏବଂ କ୍ରିଷ୍ଣା କଣ୍ଠଦାନ କରିଥିଲେ। ଏହି ଗୀତ ପ୍ରଚାରିତ ହେବା ପରେ ଅସମ୍ଭବ ଲୋକପ୍ରିୟତା ଲାଭ କରିଥିଲା। ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମରେ ରଂଗବତୀ ଗାଇବା ପାଇଁ ଶ୍ରୋତାଙ୍କ ପ୍ରଥମ ଦାବି ରହୁଥିଲା। ସାରା ଓଡ଼ିଶା ଓ ଛତିଶଗଡ଼ରେ ବାହାଘର ଶୋଭାଯାତ୍ରା ହେଉ କି ମୂର୍ତ୍ତି ବିସର୍ଜନ ସବୁଠି ରଂଗବତୀ ଗୀତର ସର୍ବାଧିକ ଚାହିଦା ରହିଥିଲା। ବାରବାଟୀରେ ଭାରତ କ୍ରିକେଟ୍ ମ୍ୟାଚ୍ ଜିତିଲେ ରଂଗବତୀ ଶୁଣିବାକୁ ମିଳୁଥିଲା। ୨୦୦୭ ଜନରାଜ୍ୟ ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ରଂଗବତୀ ଗୀତ ବାଜିବା ପରେ ଏହାକୁ ଏକପ୍ରକାର ସରକାରୀ ସ୍ବୀକୃତି ମିଳିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଭାରତୀୟ ଭାଷାରେ ଓ ଚଳଚ୍ଚିତ୍ରରେ ରଂଗବତୀର ରିମେକ୍ କରାଯାଇଛି। ପ୍ରବାସୀ ଓଡ଼ିଆ ଗାୟିକା ସୋନା ମହାପାତ୍ର ରଂଗବତୀ ଗୀତକୁ ପୁଣିଥରେ ଗାଇଥିଲେ ଯାହାକୁ ନେଇ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏସୀୟ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ର ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ର ପ୍ରସିଦ୍ଧ ଗାୟକ ଶଂକର ମହାଦେବନ ଏହି ଗୀତ ଗାଇଥିଲେ। ଉକ୍ତ ମଞ୍ଚରେ ରଂଗବତୀର ୪ ଜଣ ଯାକ କଳାକାରଙ୍କୁ ଶ୍ରୀ ମହାଦେବନ୍ ଓ ସରକାର ସମ୍ମାନିତ କରିଥିଲେ।
ଅସାଧାରଣ ଲୋକପ୍ରିୟତା
୭୦ ଦଶକରେ ଲିଖିତ ଓ ରେକର୍ଡ ହୋଇଥିବା ରଂଗବତୀ ଗତ ଅର୍ଧଶତାବ୍ଦୀ ମଧ୍ୟରେ ଏଭଳି ପ୍ରସିଦ୍ଧି ଓ ଲୋକପ୍ରିୟତା ଲାଭ କରିଛି ଯାହାକି ଅନ୍ୟ କୌଣସି ଭାରତୀୟ ଗୀତକୁ ମିଳି ନାହିଁ। ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇ ଏହି ଗୀତ ପୂରା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟର ଲୋକଙ୍କ ମନରେ ସ୍ଥାନ ପାଇଛି। ପିଢ଼ି ପରେ ପିଢ଼ି ବଦଳି ଯାଇଛି ହେଲେ ରଂଗବତୀର ଚାହିଦା କମି ନାହିଁ ବରଂ ବଢ଼ି ଚାଲିଛି। ଦକ୍ଷିଣ କୋରିଆରେ ସପ୍ତମ ବିଶ୍ବ ଜଳ ମଞ୍ଚରେ କୋରୀୟ କଳାକାରମାନେ ରଂଗବତୀ ଧୁନ୍ରେ ନାଚ କରିଥିଲେ। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ବଲିଉଡ୍ ଚଳଚ୍ଚିତ୍ର ‘କୌନ୍ କିତ୍ନେ ପାନି ମେଁ’ରେ ରଂଗବତୀ ଗୀତ ସ୍ଥାନ ପାଇଥିଲା। ଏମ୍-ଟିଭି କୋକ୍ ଷ୍ଟୁଡିଓ ପାଇଁ ରାମ ସଂପଥ୍ ନିଜ ପତ୍ନୀ ସୋନା ମହାପାତ୍ର ଓ ଗାୟକ ଋତୁରାଜଙ୍କୁ ନେଇ ରଂଗବତୀର ରିମେକ୍ କରିଥିଲେ। ଅବଶ୍ୟ ଏଥି ପାଇଁ ଗୀତର ସଂଗୀତଜ୍ଞ ପ୍ରଭୁଦତ୍ତ ପ୍ରଧାନ କପିରାଇଟ୍ ଉଲ୍ଲଂଘନ ଅଭିଯୋଗରେ ଅଦାଲତର ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ନାଇଜେରୀୟ ଗାୟକ ସାମୁଏଲ୍ ସିଂହ ମଧ୍ୟ ଏହି ଗୀତ ଭିନ୍ନ ଢଙ୍ଗରେ ଗାଇଥିଲେ।