ମଧ୍ୟପ୍ରଦେଶରୁ ହେଲିକ୍ୟାପ୍ଟରରେ ସାତକୋଶିଆ ଆସିବେ ୬ ମହାବଳ ବାଘ

ଅନୁଗୁଳ: ସାତକୋଇଆ  ଅଭୟାରଣ୍ୟ ଆଉ ଅଳ୍ପ କେଇଟା ମାସ ପରେ ରଚିବାକୁ ଯାଉଛି ନୂଆ ଇତିହାସ। ମଧ୍ୟପ୍ରଦେଶରୁ ହେଲିକପ୍ଟର ଯୋଗେ ସାତକୋଶିଆ ଆସିବେ ମହାବଳ ଦମ୍ପତ୍ତି। ଗୋଟିଏ କି, ଦୁଇଟି ନୁହେଁ; ଛଅ ମହାବଳ (ତିନୋଟି ବାଘ, ତିନୋଟି ବାଘୁଣୀ) ସାତକୋଶିଆ ଜଙ୍ଗଲକୁ ଅଣାଯିବ। ଓଡ଼ିଶାରେ ବାଘ ବଂଶ ବଢ଼ାଇବା ଲାଗି ବନ ବିଭାଗ ଏମିତି କିଛି ଯୋଜନା କରିଛି। ପୂର୍ବରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଅନୁରୂପ ଭାବେ ଦୁଇ ଦୁଇ ଥର ମହାବଳଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ରାଜ୍ୟ ପରିସୀମା ଭିତରେ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ମହାବଳ ଯାଇଥିଲେ। ବଂଶ ବଢ଼ାଇବାରେ ସଫଳ ବି ହୋଇଥିଲେ। କିନ୍ତୁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମହାବଳ ବାଘଙ୍କୁ କେବେ ଅଣାଯାଇନଥିଲା। ତେବେ ପରୀକ୍ଷାମୂଳକ ଭାବେ ବାଘ ବଂଶ ବଢାଇବା ଲାଗି ଏହି ଯୋଜନା ଆଉ ଅଳ୍ପ କେଇଟା ମାସରେ ସଫଳ ରୂପ ନେବାକୁ ଯାଉଛି।


ପ୍ରଥମ ପର୍ଯ୍ୟାୟରେ ଦୁଇଟି ମହାବଳ ଦେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଓଡ଼ିଶା ସରକାର ଚିଠି ଲେଖି ସାରିଛନ୍ତି। ଯେହେତୁ ସାତକୋଶିଆର ଜଙ୍ଗଲ ଓ ଜଳବାୟୁ ମଧ୍ୟପ୍ରଦେଶ ସହିତ ପ୍ରାୟ ତୁଳନୀୟ, ସେଠାକାର ମହାବଳ ଅନୁଗୁଳକୁ ଆସିଲେ ସ୍ୱଳ୍ପ ସମୟରେ ବେଶ୍‌ ଖାପଖୁଆଇ ପାରିବେ। ସେଥି ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ପାନ୍ନା, କାହ୍ନା କିମ୍ବା ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ବାଘ ଦେବାକୁ ଅନୁରୋଧ କରାଯାଇଛି ବୋଲି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ତଥା ଅନୁଗୁଳ ଆର୍‌ସିସିଏଫ୍‌ ସୁଦର୍ଶନ ପଣ୍ଡା ପ୍ରକାଶ କରିଛନ୍ତି। ଶୀତ ଦିନେ ବାଘ ଛାଡ଼ିବାର ଅନୁକୂଳ ସମୟ। ତେଣୁ ଆସନ୍ତା ଡିସେମ୍ବରରୁ ଫେବ୍ରୁଆରି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ମହାବଳଙ୍କୁ ଏଠାରେ ଛାଡ଼ିବାକୁ ସମୟ ଧାର୍ଯ୍ୟ ହୋଇଛି। ମଧ୍ୟପ୍ରଦେଶ ସରକାର ଏହା ଉପରେ ସବୁଜ ସଙ୍କେତ ଦେବା ପରେ ତୁରନ୍ତ ବାଘ ଚିହ୍ନଟ ପ୍ରକ୍ରିୟା, ଟ୍ରାଙ୍କୁଲାଇଜେସନ୍‌, ପରିବହନ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।


ତିନି ବର୍ଷରେ ସାତକୋଶିଆକୁ ତିନୋଟି ପର୍ଯ୍ୟାୟରେ ଦୁଇଟି ଲେଖା ସମୁଦାୟ ୬ଟି ମହାବଳଙ୍କୁ ଅଣାଯିବ। କେଉଁ ବାଘଙ୍କୁ କେଉଁଠାରେ ଛଡ଼ାଯିବ ତାହାର ଯୋଜନା ମଧ୍ୟ କରା ଯାଇଛି। ପ୍ରଥମ ମହାବଳ ଦମ୍ପତ୍ତିଙ୍କୁ ସାତକୋଶିଆ ବନଖଣ୍ଡର ରାଇଗୁଡ଼ା ରେଞ୍ଜ୍‌ରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ବାଘ ଓ ଗୋଟିଏ ବାଘୁଣିଙ୍କୁ ମହାନଦୀ ବନଖଣ୍ଡରେ ଛାଡ଼ିଲା ପରେ ତୃତୀୟ ପର୍ଯ୍ୟାୟରେ ଆସିବାକୁ ଥିବା ଅବଶିଷ୍ଟ ବାଘ ଦମ୍ପତ୍ତିଙ୍କୁ ସାତକୋଶିଆ ବନଖଣ୍ଡରେ ଛଡ଼ାଯିବାକୁ ଯୋଜନା ହୋଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
ମହାବଳଙ୍କୁ ଛାଡ଼ିବା ପାଇଁ ଗୋଟିଏ ଦମ୍ପତ୍ତିଙ୍କ ପିଛା ପ୍ରାୟ ୩ କୋଟି ଲେଖାଏ ଖର୍ଚ୍ଚ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ବୈଷୟିକ ସହାୟତା ବାବଦକୁ ଓ୍ଵାଇଲ୍‌ଡ଼ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପ୍ରାୟ ୫/୬ କୋଟି ଟଙ୍କା ନେବ। ତା’ ବାଦ୍‌ ଜଙ୍ଗଲରେ ବାଘମାନଙ୍କୁ ସାଟେଲାଇଟ୍‌ରେ ମନିଟରିଂ କରାଯିବ। ତେଣୁ ଏତେବଡ଼ ପ୍ରକଳ୍ପ ପାଇଁ ସମୁଦାୟ ୫ ବର୍ଷରେ ଖର୍ଚ୍ଚ ହେବ ପ୍ରାୟ ୧୪ କୋଟି। ଏଥିପାଇଁ ୧୫ ଦିନ ତଳେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯାଇଛି। ସମୁଦାୟ ଅର୍ଥର ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଓ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
ଏକଦା ମହାବଳଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ଏକ ସ୍ୱତନ୍ତ୍ର ଗୌରବ ବହନ କରୁଥିଲା। ଜଙ୍ଗଲରେ ଅନେକ ମହାବଳ ବାଘ ଅବାଧ ବିଚରଣ କରୁଥିଲେ। କିନ୍ତୁ ଏବେ ଏହି ସଂଖ୍ୟା ଦୁଇରେ ସୀମିତ ଅଛି। କିନ୍ତୁ ମହାବଳ ବଂଶ ବିସ୍ତାର ପାଇଁ ସାତକୋଶିଆରେ ପ୍ରକୃତି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି। ତେଣୁ ଅନୁଗୁଳ ମାଟିର ହଜିଲା ଗୌରବକୁ ପୁନଃଜୀବିତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ହାତକୁ ନେଇଛନ୍ତି। ତିନି ବର୍ଷରେ ଏଠାରେ ଛଅ ମହାବଳଙ୍କୁ ଛଡ଼ାଯିବ। ବର୍ଷ କେଇଟାରେ ସାତକୋଶିଆ ଅଭୟାରଣ୍ୟ ପୁଣି ଯେପରି ମହାବଳଙ୍କ ଆବାସସ୍ଥଳୀ ପାଲଟିବ ସେ ନେଇ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଉଛି

ସମ୍ବନ୍ଧିତ ଖବର