ସମୁଦ୍ର ସ୍ନାନ ବେଳେ ଭାସିଗଲେ ୩ ଜଣ, ଯୁବତୀ ମୃତ, ୨ ଗୁରୁତର

ପୁରୀ: ଛତିଶଗଡ଼ରୁ ଆସିଥିବା ତିନି ଜଣ ବନ୍ଧୁ ଓ ତିନି ଜଣ ବାନ୍ଧବୀ ମିଶି ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ିରେ ଭାସିଯାଇ ଜଣକର ମୃତ୍ୟୁଘଟିଛି। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସମୁଦ୍ରକୂଳ ଥାନା ପୁଲିସ ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଧରମ ଜୟଗଡ଼ର ମୀନାକ୍ଷୀ ନାୟକ(୨୨), ସବିତା ପାଇକରାୟ, ନିତେଶ ବେହେରା ଓ ଅନ୍ୟ ତିନି ଜଣ ମିଶି ଗତକାଲି ପୁରୀରେ ଆସି ପହଞ୍ଚିଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍‌ ସିଟି ପ୍ଲାଜା ହୋଟେଲରେ ରହିଥିଲେ। ତେବେ ଆଜି ସେମାନେ ଦିଗବାରେଣୀ ଛକ ବେଳାଭୂମିରେ ପହଞ୍ଚି ସମୁଦ୍ରରେ ଗାଧୋଉଥିଲେ। ମୀନାକ୍ଷୀ, ସବିତା ଓ ନିତେଶଙ୍କୁ ଛାଡ଼ି ଅନ୍ୟ ତିନି ଜଣ ସମୁଦ୍ରରେ ଗାଧୋଇ ସାରିବା ପରେ ବେଳାଭୂମି ବାଲିରେ ବସିଥିଲେ।

ଏହି ସମୟରେ ଏକ ଲହଡ଼ି ଆସି ମୀନାକ୍ଷୀ, ସବିତା ଓ ନିତେଶଙ୍କୁ ସମୁଦ୍ରଗର୍ଭକୁ ଟାଣି ନେଇଥିଲା। ତେବେ ନିକଟରେ ଥିବା ଲାଇଫ୍‌ଗାର୍ଡମାନେ ନିତେଶ ଓ ସବିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ମୀନାକ୍ଷୀ ନିଖୋଜ ହୋଇଯାଇଥିଲେ। ଏହାର କିଛି ସମୟ ପରେ ମିନାକ୍ଷୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଲାଗିଥିଲେ। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ନେବାରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ମୀନାକ୍ଷୀଙ୍କ ମୃତଦେହ ଜବତ କରିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଜିମାରେ ଦିଆଯିବ। ମିନାକ୍ଷୀଙ୍କ ଦେହାନ୍ତ ଖବର ପାଇ ତାଙ୍କ ପରିବାର ଲୋକେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର