ବ୍ରହ୍ମପୁର : ବ୍ରହ୍ମପୁର ଜିଲ୍ଲା ପୁଲିସର ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଦିନକୁ ଦିନ ମଳିନ ହେବାରେ ଲାଗିଛି। ଜନସାଧାରଣ ନ୍ୟାୟ ପାଇଁ ପୁଲିସର ଦ୍ବାରସ୍ଥ ହେଉଛନ୍ତି। କିନ୍ତୁ ଏଥିରେ ନିରାଶ ହେବା ପରେ ଶେଷରେ ଆତ୍ମାହୁତି ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବି ପଛାଉନାହାନ୍ତି। କାହିଁକି ଏଭଳି ଘଟଣା ଘଟୁଛି? ଏଥିପାଇଁ ଦାୟୀ କିଏ? ମୋ ସରକାର ଅଧୀନରେ ଥିବା ପୁଲିସ ଅଧିକାରୀଙ୍କ ନିକଟରେ ଭୁଲ୍‌ ରହୁଛି କି? ଏଭଳି ଅନେକ ଅସମାହିତ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ବର୍ତ୍ତମାନ ଏହାର ଆତ୍ମସମୀକ୍ଷା କରିବାର ସମୟ ଆସିଛି। ବରିଷ୍ଠ ପୁଲିସ ଅଧିକାରୀ, ପ୍ରଶାସନ ଏହାର କାରଣ ଖୋଜି ବାହାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଗତ ୨ବର୍ଷ ଭିତରେ ବ୍ରହ୍ମପୁର ଏସ୍‌.ପି. ଅଫିସ୍‌ ଓ ଗୋଳନ୍ଥରା ଥାନାରେ ୩ ଜଣ ଜୀବନ ହାରି ସାରିଲେଣି। ଯାହାକି ପୁଲିସର କାର୍ଯ୍ୟଦକ୍ଷତା ଓ ଥାନାକୁ ଆସୁଥିବା ସାଧାରଣ ଜନତାଙ୍କ ପ୍ରତି ନ୍ୟାୟ ବ୍ୟବସ୍ଥା ଆଡ଼କୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆଉ ବାରମ୍ବାର ଏଭଳି ଘଟଣା ବ୍ରହ୍ମପୁର ପୁଲିସକୁ କାଠଗଡ଼ାରେ ଛିଡ଼ା କରିସା ରିଲାଣି। ଖାଲି ଏତିକି ନୁହେଁ, ଏସମସ୍ତ ସମ୍ବେଦନଶୀଳ ଘଟଣା ଉପରେ ପୁଲିସ ଯାହାବି ସ୍ପଷ୍ଟୀକରଣ ରଖିଲେ ସାଧାରଣ ନାଗରିକ ଏହାକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ଆଉ ବ୍ରହ୍ମପୁର ପୁଲିସ ଏଥିପାଇଁ ବଦନାମ ମୁଣ୍ଡାଉଛି।
Advertisment

ପୁଅ ପାଇଁ ନ୍ୟାୟ ମାଗି ଆତ୍ମାହୁତି ଦ‌େଲେ ମୀନାକ୍ଷୀ

ବ୍ରହ୍ମପୁରରେ ଆଗଧାଡ଼ିର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ପୁଅ ପାଇଁ ନ୍ୟାୟ ନ୍ୟାୟ ଭିକ୍ଷା କରିବାକୁ ଯାଇ ଆତ୍ମାହୁତି ଦେଇ ଜୀବନ ହାରିଲେ। ଇଂଜିନିୟରିଂ ସ୍କୁଲ ପଣ୍ଡା କଲୋନିରେ ରହୁଥିବା ମୀନାକ୍ଷୀଙ୍କ ପୁଅ କୃତ୍ତିବାସ ଓରଫ୍‌ ରାଜାଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଏକ ଗଣ୍ଡଗୋଳ ମାମଲାରେ ଗିରଫ କରିଥିଲା। ଅନ୍ୟପଟେ ରାଜାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ନକରି ଅଯଥାରେ ପୁଅକୁ ଫସାଇ ଦେଇଥିବା ଅଭିଯୋଗ ନେଇ ମୀନାକ୍ଷୀ ୨୦୨୦ ଫେବ୍ରୁଆରି ୧୨ ତାରିଖରେ ବ୍ରହ୍ମପୁର ଏସ୍‌.ପି. ଅଫିସ୍‌କୁ ଯାଇଥିଲେ। ଏସ୍‌.ପି.ଙ୍କ ଅନୁପସ୍ଥିତିରେ ମୀନାକ୍ଷୀ ଅନ୍ୟ ଜଣେ ଅଧିକାରୀଙ୍କୁ ସାକ୍ଷାତ କରି ବାହାରକୁ ଆସିଥିଲେ। ଏହାପରେ ହଠାତ୍‌ ସେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ଦେଖି ଅନ୍ୟ ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରା ଯାଇଥିଲା। ହେଲେ ଫେବ୍ରୁଆରି ୨୦ ତାରିଖରେ ମୀନାକ୍ଷୀ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଏହାପରେ ପୁଲିସ ଡିଜିଙ୍କ ନିର୍ଦ୍ଦେଶାନୁସାରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ ଆଜିଯାଏ ଏହାର କୌଣସି ନିର୍ଯ୍ୟାସ ବାହାରିନି।

ଥାନା ଭିତରେ ଝୁଲିପଡ଼ିଲେ ଗଣେଶ

ଗତବର୍ଷ ମେ’ ୩ତାରିଖରେ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ଗୋଳନ୍ଥରା ଥାନାରେ ଆଉ ଏକ ଲୋମଟାଙ୍କୁରା ଘଟିଥିଲା। ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ ଗଣ୍ଡଗୋଳ କରୁଥିବା ନେଇ ତତ୍କାଳୀନ ଥାନାଧିକାରୀ ବାବୁଲି ନାୟକଙ୍କ ନିକଟକୁ ଖବର ଆସିଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନାର ପୁଲିସର ଏକ ଟିମ୍‌ ଗଣେଶଙ୍କୁ କାବୁ କରି ଥାନାକୁ ଆଣିଥିଲେ। କୋଭିଡ୍‌ ନିୟମ ପ୍ରକାରେ ଥାନା ପରିସରରେ ଥିବା ରିସେପସନ୍ ସେଣ୍ଟର୍‌ରେ ଗଣେଶଙ୍କୁ ବସିବା ପାଇଁ କୁହା ଯାଇଥିଲା। ରାତି ପ୍ରାୟ ୮ଟା ସମୟରେ ଗଣେଶ ପିନ୍ଧିଥିବା ବେଲ୍ଟକୁ ଝରକାର ଲୁହାରେ ଲଗାଇ ଝୁଲି ପଡ଼ିଥିଲେ। ଡ୍ୟୁଟିରେ ଥିବା କନ‌ଷ୍ଟେବଳ ଜଣକ ଗଣେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ ପରେ ଦାୟିତ୍ବରେ ଅବହେଳା ଯୋଗୁଁ ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଓ କନ‌ଷ୍ଟେବଳ ଦୀପ୍ତିପ୍ରକାଶ ଜେନା ଜେନାଙ୍କୁ ନିଲମ୍ବନ କରାଯାଇଥିଲା। ସେହିପରି ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କୁ ଥାନାରୁ ହଟାଇ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗଣେଶଙ୍କ ପରିବାର ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ତତ୍କାଳୀନ ଥାନାଧିକାରୀ ବାବୁଲି ନାୟକ, ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ, କନଷ୍ଟେବଳ ଦୀପ୍ତିପ୍ରକାଶ ଜେନା ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ତଥା ବ୍ଲକ୍ ବିଜେଡି ସଭାପତି ଅଜିତ କୁମାର ଦାଶ ଓ ତାଙ୍କ ଭାଇ ଅମିତଙ୍କ ନାମରେ ଗତ ନଭେମ୍ବର ୨୭ ତାରିଖରେ ଗୋଳନ୍ଥରା ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।
ପେଟ୍ରୋଲ୍ ଢାଳି କାଳିଆଙ୍କ ଆତ୍ମାହୁତି
ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଗ୍ରାମର କାଳିଆ ସାମନ୍ତରା ଗତକାଲି ରାତିରେ ଗୋଳନ୍ଥରା ଥାନାକୁ କୌଣସି ବିଷୟରେ ଅଭିଯୋଗ କରିବାକୁ ଆସି ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ବ୍ରହ୍ମପୁର ଜିଲ୍ଲା ପୁଲିସ ପୁଣି ଅଡ଼ୁଆରେ ପଡ଼ିଛି। ଲୋକଙ୍କୁ ନ୍ୟାୟ ଦେବା ଓ ସେମାନଙ୍କ ସୁରକ୍ଷା ପାଇଁ ପୁଲିସ ସଦାସର୍ବଦା ତତ୍ପର ଅଛି ବୋଲି ବ୍ରହ୍ମପୁର ଏସ୍.ପି କହୁଛନ୍ତି। ତଥାପି ଅଭିଯୋଗକାରୀ କାହିଁକି ଏଭଳି ଚରମ ପଦକ୍ଷେପ ନେଉଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।