ରାୟଗଡ଼ାରେ ଜାଲ୍ ନୋଟ୍ କାରବାର ମାମଲା: ୩ ଦୋଷୀଙ୍କୁ ୭ ବର୍ଷ ଦଣ୍ଡ, ୫ ହଜାର ଲେଖାଁଏ ଜରିମାନା

ରାୟଗଡ଼ା: ଜାଲ୍ ନୋଟ୍ କାରବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଦୌରାଜଜ୍ ରୀନା ଚୌଧୁରୀ। ରାୟରେ ଅଭିଯୁକ୍ତ ସିଙ୍ଗାପୁ ବାଙ୍ଗାରାୟା, ଖୋଖା ଦୀପକ, ମହମ୍ମଦ ସଫିକକୁ ୭ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହ ୫ ହଜାର ଟଙ୍କା ଲେଖାଁଏ ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି। ମାମଲାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଟି. ପି. ମୁରଲୀରାଜୁ, ନାଲା ସମ୍ପଦ ଫେରାର ଥିବାରୁ ଦଣ୍ଡାଦେଶ ହୋଇ ପାରିନି।

୨୦୧୫ ମାର୍ଚ୍ଚ ୨ ତାରିଖରେ ରାୟଗଡ଼ା ରେଳ ଷ୍ଟେସନ ଅଞ୍ଚଳରେ ଜାଲ୍ ନୋଟ୍ କାରବାର ହେଉଥିବା ନେଇ ରାୟଗଡ଼ା ଥାନା ପୁଲିସ୍ ସୂଚନା ପାଇଥିଲା। ପୁଲିସ୍ ଚଢ଼ାଉ କରି ନାଲା ସମ୍ପଦ, ସିଙ୍ଗାରାପୁ ବାଙ୍ଗାରାୟାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୦ ହଜାର ୫୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଥିଲା। ଜବତ ନୋଟ୍ ଭିତରେ ୨୬ଟି ହଜାରେ ଟଙ୍କିଆ, ୯ଟି ୫୦୦ ଟଙ୍କିଆ ନୋଟ୍ ଥିଲା। ୨ ଜଣଙ୍କୁ ପୁଲିସ୍ ଗିରଫ କରିବା ପରେ ସୂଚନା ପାଇ ଜାଲ୍ ନୋଟ୍ ଛାପୁଥିବା କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ଟି. ପି. ମୁରଲୀରାଜୁଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ଜାଲ୍ ନୋଟ୍ ଛପା ହେଉଥିବା ମେସିନ୍ ଜବତ ହୋଇଥିଲା। ଜାଲ୍ ନୋଟ୍ କାରବାରରେ ସଂପୃକ୍ତ ଛତିଶଗଡ଼ର ଖୋଖା ଦୀପକ, ବଲାଙ୍ଗୀର ଟିଟିଲାଗଡ଼ର ମହମ୍ମଦ ସଫିକକୁ ଚଢ଼ାଉ କରି ଗିରଫ କରିଥିଲା ପୁଲିସ୍।

ପୁଲିସ୍ ଚାର୍ଜସିଟ୍ ଦାଖଲ କରିବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ବିଚାରଣ ସମୟରେ ନାଲା ସମ୍ପଦ, ଟି. ପି. ମୁରଲୀରାଜୁ ଫେରାର୍ ହୋଇ ଯାଇଥିଲେ ମଧ୍ୟ ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇପାରିନି। ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀନା ଚୌଧୁରୀ ମାମଲାର ଆଜି ଚୂଡ଼ାନ୍ତ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ରାୟରେ ଅଭିଯୁକ୍ତ  ସିଙ୍ଗାପୁ ବାଙ୍ଗାରାୟା, ଖୋଖା ଦୀପକ, ମହମ୍ମଦ ସଫିକକୁ ୭ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ୍ବର ମହାପାତ୍ର, ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମହେଶ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର