କରୋନା ସଂକ୍ରମଣ ବ୍ୟାପିଥିବା ମରକାଜ୍ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୩ ଜଣ ସରକାରୀ ସଙ୍ଗରୋଧରେ ଅଛନ୍ତି, ଅନ୍ୟମାନଙ୍କୁ ଖୋଜା ଚାଲିଛି

ନୂଆଦିଲ୍ଲୀ: ଦିଲ୍ଲୀର ମରକାଜ୍ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସମାବେଶରେ ଯୋଗ ଦେଇଥିବା ୨୪ ଜଣ କରୋନା ଆକ୍ରାନ୍ତ ହେବା ସହ  ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଯୋଗୁଁ ଗତକାଲି ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଯାଇଛି। କାରଣ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ ଜଣ ଓଡ଼ିଶାରୁ ଯୋଗ ଦେଇଥିଲେ। ଏହି ସୂଚନା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା। ଭାଗ ନେଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୫ ଜଣ ଓଡ଼ିଶା ଫେରିଛନ୍ତି ନା ଆଉ କେଉଁ ଆଡେ ଯାଇଛନ୍ତି, ତାହାକୁ ନେଇ ରାଜ୍ୟବ୍ୟାପି ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଅ‌ାଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ସ୍ଫଷ୍ଟୀକରଣ ରଖାଯାଇଛି। ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବ‌ାଗଚୀ କହିଛନ୍ତି, ମରକାଜ୍ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଫେରିଥିବା ୩ ଜଣ ରାଜ୍ୟ ସରକାରଙ୍କ ସହ ସଂପର୍କରେ ଅଛନ୍ତି। ସେମାନଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଇଛି। ଏଥିସହ ‌ଏହି ୩ ଜଣଙ୍କ ପରିବାରକୁ ମଧ୍ୟ ସଙ୍ଗରୋଧରେ ରହିବାକୁ କୁହାଯାଇଛି।ସେଠାରୁ ଫେରିଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି। ସେସଂପର୍କରେ ସୂଚନା ମିଳିଲେ ଜଣାଇ ଦିଆଯିବ ବୋଲି ବାଗଚୀ କହିଛନ୍ତି।

ତାବଲିଘି ଜମାତ ପକ୍ଷରୁ ଅନୁଷ୍ଠିତ ଏହି ସମାବେଶ ମାର୍ଚ୍ଚ ୧ରୁ ୧୫ ପର୍ଯ୍ୟନ୍ତ ହୋଇଥିଲା । ତେବେ ଏହି ସମାବେଶ ପାଇଁ ପୁଲିସର ଅନୁମତି ନିଆଯାଇନଥିଲା । ଏହି ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଓ ସାଉଦି ଆରବ ଆଦି ଦେଶରୁ ୨୦୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ଭାରତର କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଓଡ଼ିଶା ସମେତ ବହୁ ରାଜ୍ୟରୁ ଲୋକ ଏଥିରେ ସାମିଲ ହୋଇଥିଲେ । ତେବେ ଏହି ସମାବେଶରେ ଯୋଗ ଦେଇଥିବା ୨୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏଥିମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଛି । ତେଲେଙ୍ଗାନାର ହାଇଦ୍ରାବାଦରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶ୍ରୀନଗରରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅପରପକ୍ଷେ ସ୍ଥାନୀୟ ଅଂଚଳର ପ୍ରାୟ ୭ଶହ ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଥିବାବେଳେ ୩୩୪ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଖପାଖ ଅଂଚଳକୁ ବିଶୋଧନ କରାଯାଇଛି । ଏହି ସମାବେଶରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ଏତେ ସଂଖ୍ୟାରେ ଲୋକ ସଂକ୍ରମିତ ହେବା ଜଣାପଡିବା ପରେ ନିଜାମୁଦ୍ଦିନକୁ ଦିଲ୍ଲୀ କରୋନାର କେନ୍ଦ୍ର ସ୍ଥଳ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର