ଝାରସୁଗୁଡ଼ା: କ୍ରୀଡ଼ାର ପ୍ରଚାରପ୍ରସାରକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାର୍ଷିକ ଶହ ଶହ କୋଟିର ରାଜସ୍ବ ପ୍ରଦାନ କରୁଥିବା ଝାରସୁଗୁଡ଼ା ଭଳି ଜିଲ୍ଲାରେ ଏକ ଉନ୍ନତ ଖେଳ ପଡ଼ିଆ ନାହିଁ। ଯେଉଁ ପଡ଼ିଆ ଭରସାରେ ସ୍ଥାନୀୟ କ୍ରୀଡ଼ାବିତ୍‌ ଓ ପିଲାମାନେ ଖେଳୁଥିଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ଏବେ ସେଗୁଡ଼ିକ ବି ବରବାଦ୍‌ ହୋଇଗଲା। ପାଣ୍ଡିଆନ୍‌ଙ୍କ ଗସ୍ତର ୩ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରଦର୍ଶନ କରି ଲଖନପୁର ବ୍ଲକ ପଞ୍ଚଗାଁ, ବ୍ରଜରାଜନଗର ଓପିଏମ୍‌ ଫିଲ୍‌ଡ, ଲଇକେରା ବ୍ଲକ ଅଇତାପାଲି ପଡ଼ିଆରେ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଥିଲା। ହେଲେ ପାଣ୍ଡିଆନ୍‌ ଯିବା ପରେ ଉକ୍ତ ପଡ଼ିଆ ଆଡ଼େ ଅନାଉ ନାହାନ୍ତି ଅଧିକାରୀ। ଏଭଳି ସ୍ଥିତିରେ କ୍ରୀଡ଼ାବିତ୍‌ ଖେଳ ଅଭ୍ୟାସ କରିନପାରି ସେମାନଙ୍କ ସ୍ବପ୍ନ ଏକପ୍ରକାର ଧୂଳିସାତ୍‌ ହେଲା ଭଳି ସ୍ଥିତି ‌ହୋଇଛି। ଏ ସଂକ୍ରାନ୍ତରେ ଉକ୍ତ ‌ହେଲିପ୍ୟାଡ୍‌ଗୁଡ଼ିକର ନିର୍ମାଣ ଦାୟିତ୍ବରେ ଥିବା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର ନାୟକଙ୍କୁ ପଚାରିବାରେ, ବର୍ଷା ପରେ ପଡ଼ିଆଗୁଡ଼ିକର ମରାମତି ହେବ ବୋଲି କହିଛନ୍ତି।

Advertisment

ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜାର ଆଖଆଖରେ କୌଣସି ଭଲ ପଡ଼ିଆ ନଥିବା ବେଳେ ପଞ୍ଚଗାଁର ପଡ଼ିଆକୁ ସ୍ଥାନୀୟ କ୍ରୀଡ଼ାବିତ୍‌ମାନେ ‌ତାଙ୍କର ଖେଳକୁଦ ପାଇଁ ବ୍ୟବହାର କରିଥାନ୍ତି। ମାତ୍ର ପାଣ୍ଡିଆନ୍‌ଙ୍କ ଗସ୍ତ ପୂର୍ବରୁ ଉକ୍ତ ପଡ଼ିଆକୁ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ବନ୍ଦ କରିଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ପଡ଼ିଆ ଭିତରେ ୨୦ ଫୁଟ୍‌ ବ୍ୟାସାର୍ଦ୍ଧର ହେଲିପ୍ୟାଡ୍‌ ବି ନିର୍ମାଣ ହେଲା। ହେଲିପ୍ୟାଡ୍‌ରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ପ୍ଲାଣ୍ଟ ୱେଷ୍ଟ ପକାଇ ପଡ଼ିଆ ଭିତରେ ଅସ୍ଥାୟୀ ରାସ୍ତା ବି କରାଗଲା। କିନ୍ତୁ ପାଣ୍ଡିଆନ୍‌ଙ୍କ ଗସ୍ତ ପରେ ଏହି ଖେଳ ପଡ଼ିଆକୁ ଅଧିକାରୀମାନେ ଆଡ଼ ଆଖିରେ ସୁଦ୍ଧା ଚାହିଁଲେ ନାହିଁ। ପାଣ୍ଡିଆନ୍‌ଙ୍କ ଗସ୍ତର ପୂର୍ବଦିନ ଓ ଉକ୍ତଦିନ ଶହ ଶହ ଗାଡ଼ିମଟର ବି ଉକ୍ତ ପଡ଼ିଆ ଭିତରକୁ ଯିବା ଆସିବା କରିଛି। ଏପରିକି ପଡ଼ିଆ ଭିତରେ ରାସ୍ତା ନିର୍ମାଣ ପାଇଁ ଭାରୀଯାନ ବି ଯାଇଛି। ଫଳରେ ପଡ଼ିଆ ଖାଲଢିପରେ ଭର୍ତ୍ତି ହୋଇଯାଇଥିବା ବେଳେ ଏବେ ବର୍ଷା ଯୋଗୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଭଳି ସ୍ଥିତି ହୋଇଛି ଯେ, ପଡ଼ିଆ ଭିତରକୁ ଚାଲିକି ଯିବା ବି ସମ୍ଭବ ହେଉନାହିଁ। ‌ସେହିଭଳି ବ୍ରଜରାଜନଗରର ଓପିଏମ୍‌ ଝଣ୍ଡା ପଡ଼ିଆରେ ହେଲିପ୍ୟାଡ୍‌ ନିର୍ମାଣ ହୋଇଥିଲା।

ଉକ୍ତ ପଡ଼ିଆରେ ପୂର୍ବରୁ ହାଟ ବସୁଥିବା ବେଳେ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ପଡ଼ିଆଟି କ୍ଷତିଗ୍ରସ୍ତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ, ଭିତରେ ପରିବା ନେଇ ବସୁଥିବା ଲୋକେ ଏବେ ପଡ଼ିଆ ବାହାରେ ରାସ୍ତାକଡ଼ରେ ବସିବାକୁ ବାଧ୍ୟ ହେଉଛନ୍ତି। ଲଇକେରା ବ୍ଲକ୍‌ର ଅଇତାପାଲି ପଡ଼ିଆରେ ସ୍ଥାନୀୟ ଅଞ୍ଚଳର କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ପ୍ରତିଯୋଗିତା ନିୟମିତ ହୋଇଥାଏ। ପଡ଼ିଆ ଭିତରେ ଗାତ ଖୋଳି ଦିଆଯାଇଥିବା ବେଳେ ବର୍ଷା ଯୋଗୁ ସେଥିରେ ପାଣି ଭର୍ତ୍ତି ହୋଇଯାଇଛି। ହେଲିପ୍ୟାଡ୍‌ ପାଇଁ ପଡ଼ିଆ ମଝିରେ ପିଚୁ କରି ଦିଆଯାଇଛି। ଏଭଳି ସ୍ଥିତିରେ ଏହି ଖେଳ ପଡ଼ିଆ ବି ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ।