ମହିଳା କ୍ରିକେଟରଙ୍କ ପରିବାରକୁ ଆକ୍ରମଣ ମାମଲା: ପଡ଼ାରେ ୩ ପ୍ଲାଟୁନ ଫୋର୍ସର ପହରା

ବଲାଙ୍ଗୀର: ମହିଳା କ୍ରିକେଟର ସରିତା ମେହେରଙ୍କ ଘର ଓ ପରିବାର ବର୍ଗଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ମାମଲା ଜଟିଳ ହେବାରେ ଲାଗିଛି। ସୋମବାର ସରିତାଙ୍କ ପଡ଼ାବାସୀ ସମ୍ମିଳିତ ହୋଇ ଅଭିଯୁକ୍ତଙ୍କୁ ଗିରଫ ଓ ପଡ଼ାବାସୀଙ୍କୁ ସୁରକ୍ଷା ଦାବି କରି ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ନିଜେ ସରିତା ମଧ୍ୟ ଏସ୍‌ପି କେ.ଶିବା ସୁବ୍ରମଣିଙ୍କୁ ଭେଟିଥିଲେ। ସମସ୍ତ ଘଟଣା ସେ ଏସ୍‌ପିଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ଏହାପରେ ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦେଶ ପରେ ଟାଉନ ଥାନା ପୁଲିସ ସକ୍ରିୟ ହୋଇଛି। ସୋମବାର ସଂଧ୍ୟାରେ ଦୁଇଟି ବସ୍‌ରେ ପ୍ରାୟ ୩ ପ୍ଲାଟୁନ ଫୋର୍ସ ଧରି ପୁଲିସର ବରିଷ୍ଠ ଅଧିକାରୀମାନେ ବୈଜୟନ୍ତୀପଡ଼ାରେ ସର୍ଚ୍ଚ ଅପରେସନ କରିଛନ୍ତି। ଏଥିସହ ତେଲିଗୋଠପଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ତେଲିଗୋଠ ପଡ଼ାବାସୀଙ୍କ କହିବାନୁସାରେ, ଗତ ୫ ତାରିଖ ଦିନ ସାଢ଼େ ୩ଟା ସମୟରେ ବୈଜୟନ୍ତୀପଡ଼ାର ଯୁବକ, ମହିଳା, ଛୋଟ ଛୁଆ ସଭିଏଁ ଏକଜୁଟ ହୋଇ ସରିତାଙ୍କ ଘର ଉପରକୁ ଟେକାପଥର ମାଡ଼ କରିବା ସହ ପରିବାର ବର୍ଗଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଟାଉନଥାନାରେ ୧୭ରୁ ଅଧିକ ଲୋକଙ୍କ ନାଁରେ ଏତଲା ଦିଆ ଯାଇଥିଲା। ଆକ୍ରମଣ ସମୟର ଭିଡିଓ ମଧ୍ୟ ପୁଲିସ ପାଖରେ ରହିଛି। କିନ୍ତୁ ପୁଲିସ ମାତ୍ର ୨ ଜଣଙ୍କୁ ଗିରଫ କରି ଚୁପ ବସିଛି। ପଡ଼ାରେ ଯେଉଁ ପୁଲିସ ମୁତୟନ ରହିଛନ୍ତି, ସେମାନଙ୍କୁ ମଧ୍ୟ ବୈଜନ୍ତୀପଡ଼ାର ଯୁବକମାନେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଛନ୍ତି। ତେଲିଗୋଠପଡ଼ାର ମହିଳାମାନେ ଘରୁ ବାହାରକୁ ବାହାରିବା ବର୍ତ୍ତମାନ ସମୟରେ ଅସୁରକ୍ଷିତ ମଣୁଛନ୍ତି। କାରଣ ଆକ୍ରମଣରେ ସାମିଲ ଥିବା ବହୁ ଅଭିଯୁକ୍ତ ଖୋଲାଖୋଲି ବୁଲୁଛନ୍ତି।

ସମ୍ବନ୍ଧିତ ଖବର