ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ଯୁବକର ଉନ୍ମତ କାଣ୍ଡ। ପୁଲିସ କାବୁ କରିବା ପାଇଁ ଯାଇ ଟାଙ୍ଗିଆ ଚୋଟ ଖାଇଲେ। ୨ ଘଣ୍ଟାର କସରତ ପରେ କାବୁ ହେଲା ଯୁବକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଡେଙ୍ଗାପଦର ଗ୍ରାମରେ।
/sambad/media/post_attachments/wp-content/uploads/2020/07/ngp-tentulikhunti-police-300x225.jpg)
ମିଳିଥିବା ସୂଚନା ଅନୁଯାୟୀ ଡେଙ୍ଗାପଦର ଗାଁର ରମେଶ ଦଳପତି(୨୨) ଗତକାଲି ସଂଧ୍ୟା ସମୟରେ ଏକ ଟାଙ୍ଗିଆ ଧରି ସେହି ଗାଁର ବାଳକୃଷ୍ଣ ବିଷୋୟୀ ଓ ସ୍ତ୍ରୀ ନିର୍ମଳା ବିଷୋୟୀଙ୍କୁ ଆକ୍ରମଣ କରିବା ପାଇଁ ଯିବାରୁ ଉଭୟ ଦମ୍ପତ୍ତି କବାଟ ପକାଇଦେଇଥିଲେ। କବାଟକୁ ବି ଟାଙ୍ଗିଆ ଚୋଟ ପକାଇବାରୁ ସେମାନେ ଭୟରେ ପଡୋଶି ଘରେ ଆଶ୍ରୟ ନେଇଥିଲେ। ଏ ନେଇ ଗତ କାଲିରାତି ୯ଟାରେ ତେନ୍ତୁଳିଖୁଣ୍ଟି ଥାନାରେ ଉଭୟ ଦମ୍ପତ୍ତି ଆସି ଏତଲା ଦେଇଥିଲେ। ଆଜି ସକାଳୁ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପରମାନନ୍ଦ ସୁନାନୀଙ୍କ ନେତୃତ୍ବରେ ଷ୍ଟାଫ ଚଢ଼ାଉ କରିବା ପାଇଁ ସେହି ଗାଁକୁ ଯାଇଥିଲେ। ପୁଣି ଉକ୍ତ ଯୁବକ ପୁଲିସକୁ ଦେଖି ଟାଙ୍ଗିଆ ବୁଲାଇ ଚାଲିଥିଲା। ପୁଲିସ କାବୁ କରିବା ବେଳେ ୩ ଜଣ ପୁଲିସ କନଷ୍ଟେବଳଙ୍କ ଦେହରେ ଟାଙ୍ଗିଆ ଚୋଟ ବାଜିଥିଲା। ଏହି ଟାଙ୍ଗିଆ ଚୋଟରେ କନଷ୍ଟେବଳ ପ୍ରବୀଣ ପାଙ୍ଗିଆଙ୍କ ହାତକୁ ଟାଙ୍ଗିଆ ଚୋଟ ବାଜିଥିବା ବେଳେ ଗୋବର୍ଦ୍ଧନ ହରୀଜନଙ୍କ ପେଟକୁ ଏବଂ ରଘୁ ପୂଜାରୀଙ୍କ ହାତକୁ ଟାଙ୍ଗିଆ ଚୋଟ ବାଜିଥିଲା। ପୁଲିସ ଚଢ଼ାଉରେ ଗ୍ରାମବାସୀ ବି ସହାୟତା କରିଥିଲେ। ଶେଷରେ ୨ ଘଣ୍ଟାର କସରତ ପରେ ରମେଶକୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଥିଲା।
ରମେଶକୁ ପୁଲିସ ଆଣି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ। ଏହା ସହିତ ଆହତ ୩ ଜଣ କନଷ୍ଟେବଳଙ୍କୁ ମଧ୍ୟ ଡାକ୍ତର ଶାନ୍ତି ସ୍ବରୁପ ପଟ୍ଟନାୟକ ବ୍ୟାଣ୍ଡେଜ୍ ବାନ୍ଧି ଚିକିତ୍ସା କରିଥିଲେ। ଖବର ପାଇ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ଡାକ୍ତରଖାନା ଓ ଥାନାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଆହତ କନଷ୍ଟେବଳମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝି ଆସିଥିଲେ। ତେନ୍ତୁଳିଖୁଣ୍ଟି ଥାନାରେ ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/ngp-tentulikhunti-police-injuries.jpg)
