ପୁଲିସ ହାତରୁ ନାବାଳିକା ଅପହର୍ତ୍ତା ଫେରାର ଘଟଣା : ଏଏସ୍‌ଆଇଙ୍କ ସମେତ ୩ ନିଲମ୍ବିତ

ଭୋଗରାଇ : ପୁଲିସ ହାତରୁ ନାବାଳିକା ଅପହର୍ତା ଖସିଯିବା ଘଟଣା କମର୍ଦ୍ଦା ପୁଲିସ୍‌କୁ ଭାରି ପଡ଼ିଛି। ଏହି ଘଟଣାରେ ଆଜି ବାଲେଶ୍ୱର ଏସ୍‌ପି ବି ଯୁଗଳକିଶୋର କମର୍ଦ୍ଦା ଥାନା ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ, ହାବିଲଦାର ଅରୁଣ କୁମାର ଧଳ ଓ ବାଲେଶ୍ବର ରିଜର୍ଭ ପୁଲିସର ମହିଳା କନେଷ୍ଟବଳ ମମତା ପାତ୍ରଙ୍କୁ ନିଲମ୍ବନ କରିଛନ୍ତି।

ସୂଚନାଯୋଗ୍ୟ, କମର୍ଦ୍ଦା ଥାନା ନହରା ପଞ୍ଚାୟତର ଜନୈକ ବ୍ୟକ୍ତିଙ୍କ ଘରେ ଦୀପକ ଯାଦବ ନାମକ ଜନୈକ ଯୁବକ ରହି ଧାନକଟା ମେସିନ୍ ଚଳାଉଥିଲେ। ଦୀପକଙ୍କ ଘର ଉତ୍ତରପ୍ରଦେଶ କୁଶିନଗର ଜିଲ୍ଲା କାଶିଆ ଥାନା ଅନ୍ତର୍ଗତ ପରସୁଆଁ ଗାଁରେ। ସମୟ କ୍ରମେ ଦୀପକ ଗୃହକର୍ତାଙ୍କ ନାବାଳିକା ଝିଅକୁ ପ୍ରେମଜାଲରେ ଫସାଇ ନଭେମ୍ବର ୨୩ ତାରିଖରେ ତାଙ୍କୁ ଅପହରଣ କରି ନେଇଥିଲା। ଏ ସଂପର୍କରେ ନାବାଳିକାଙ୍କ ବାପା କମର୍ଦ୍ଦା ଥାନାରେ ଏତଲା ଦେବା ପରେ କେସ୍ ନଂ ୧୧୪/୧୯ରେ ଏକ ଅପହରଣ ମାମଲା ରୁଜୁ କରିଥିଲା ପୁଲିସ। ଅପହର୍ତାର ମୋବାଇଲ୍‌ ଟ୍ରାକିଂ ପରେ ଅଭିଯୁକ୍ତ ଦୀପକ ସମ୍ପୃକ୍ତ ନାବାଳିକା ସହ ଉତ୍ତରପ୍ରଦେଶର ଏକ ଗାଁରେ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ କମର୍ଦ୍ଦା ଥାନା ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ, ହାବିଲଦାର ଅରୁଣ କୁମାର ଧଳ ଓ ମହିଳା କନେଷ୍ଟବଳ ମମତା ପାତ୍ର ସେଠାରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ଦୀପକ ଓ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଉତ୍ତରପ୍ରଦେଶର କୁଶିନଗର ସିଜେଏମ୍‌ କୋର୍ଟ ଉଭୟଙ୍କୁ ୪୮ ଘଣ୍ଟା ମଧ୍ୟରେ ଜଳେଶ୍ବର କୋର୍ଟରେ ହାଜର କରିବା ପାଇଁ ନିର୍ଦେଶ ଦେବା ପରେ କମର୍ଦ୍ଦା ପୁଲିସ ଏକ ସ୍କର୍ପିଓ ଗାଡ଼ିରେ ଚଳିତ ମାସ ୬ ତାରିଖରେ ଉଭୟଙ୍କୁ ଆଣିଥିଲେ। ତେବେ ଝାଡ଼ଖଣ୍ଡର ହଜାରିବାଗ ନିକଟରେ ଦୀପକ ଶୌଚ ଯିବା ବାହାନାରେ ପୁଲିସକୁ ଚକ୍‌ମା ଦେଖାଇ ଚମ୍ପଟ ମାରିଥିଲା। କର୍ତ୍ତବ୍ୟରେ ଅବହେଳା କାରଣରୁ ଏସ୍‌ପି ବି ଯୁଗଳକିଶୋର ଥାନାର ଦୁଇ କର୍ମଚାରୀଙ୍କ ସହିତ ରିଜର୍ଭ ମହିଳା କନେଷ୍ଟବଳ ମମତା ପାତ୍ରଙ୍କୁ ନିଲମ୍ବନ କରିଥିବା କମର୍ଦ୍ଦା ଥାନା ଆଇଆଇସି ପାସ୍କେଲ ଏକ୍କା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର