ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ଟି ପ୍ରି-ବୋର୍ଡ/ଟେଷ୍ଟ ପରୀକ୍ଷା ଦେବାକୁ ପଡ଼ିବ। ପାଠ୍ୟକ୍ରମର ୪୦% ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପରୀକ୍ଷା ଦେବାକୁ ହେବ। ୬୦% ପାଠପଢ଼ା ସରିଲେ ଦ୍ବିତୀୟ ଓ ୮୦% ପାଠପଢ଼ା ଶେଷ ହେବା ପରେ ତୃତୀୟ ପରୀକ୍ଷା କରାଯିବ। ଏହାପରେ ଯାଇ ଛାତ୍ରଛାତ୍ରୀ ମୁଖ୍ୟ ପରୀକ୍ଷା ତଥା ମାଟ୍ରିକ୍ ପରୀକ୍ଷାରେ ଅଂଶଗ୍ରହଣ କରିବେ।
ବର୍ତମାନ ସୁଦ୍ଧା ଅଧିକାଂଶ ବିଦ୍ୟାଳୟରେ ୪୦% ପାଠପଢ଼ା ଶେଷ ହୋଇଥିବାରୁ ଖୁବ୍ଶୀଘ୍ର ପରୀକ୍ଷା କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ପରୀକ୍ଷା ମାର୍କକୁ କୌଣସି ପ୍ରକାର ହିସାବକୁ ନିଆଯିବ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଭ୍ୟାସ ଜାଣିବା ଓ କିଭଳି ଉନ୍ନତି ଆସିପାରିବ ତାହା ଜାଣିବା ଲାଗି ସ୍କୁଲସ୍ତରରେ ଏହି ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ବଡ଼ ନିଷ୍ପତ୍ତିକ୍ରମେ ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେନି। ଯେଉଁଠି ଭିତ୍ତିଭୂମି ଥିବ ସେଠାକାର ଛାତ୍ରଛାତ୍ରୀ ହିଁ କେବଳ ନିଜ ସ୍କୁଲରେ ପରୀକ୍ଷା ଦେଇପାରିବେ। ନ ହେଲେ ନିକଟସ୍ଥ ସ୍କୁଲରେ ସେମାନଙ୍କ ପରୀକ୍ଷା କେନ୍ଦ୍ର ହେବ। ସେଠାକୁ ଯାଇ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ। ଯଦି ହିସାବକୁ ନିଆଯାଏ ତେବେ ରାଜ୍ୟରେ ୮ ହଜାରରୁ ଅଧିକ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ଏଥିରେ ୬ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପଢ଼ୁଥିବାରୁ ଉକ୍ତ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଲାଗି ଯୋଜନା ପ୍ରସ୍ତୁତ ହୋଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୫ ଲକ୍ଷ ୩୦ ହଜାର ୩୩୯ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ଏସ୍ଏସ୍ଡି ବିଭାଗ ଅଧୀନରେ ୨୭ ହଜାର ୨୬, ବେସରକାରୀ ବିଦ୍ୟାଳୟର ୩୬ ହଜାର ୫୭୯, ୨୪ ହଜାର ୯୩୯ ଏକ୍ସ-ରେଗୁଲାର ଓ ୧୬୨୪ ସିସି ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ଆକଳନ କରାଯାଉଛି।
ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିଜ ସ୍କୁଲରେ କରିବା ସମ୍ଭବପର ନୁହେଁ। କାରଣ ସବୁ ହାଇସ୍କୁଲରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବାରୁ ସେଠାରେ ପରୀକ୍ଷା କେନ୍ଦ୍ର କରାଯାଇପାରିବ ନାହିଁ। କେଉଁଠି ପାଚେରି ନାହିଁ ତ ଆଉ କେଉଁଠି କ୍ଲାସରୁମ୍ ଅଭାବ ରହିଛି। ପ୍ରଶ୍ନପତ୍ର ସୁରକ୍ଷା ନେଇ ବି ଆଶଙ୍କା ଅଛି। ଏମିତି ଶତାଧିକ ବିଦ୍ୟାଳୟ ରହିଛି ଯେଉଁଠାରେ ୧୫ରୁ କମ୍ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତେଣୁ ସେଠାରେ ପରୀକ୍ଷା କେନ୍ଦ୍ର ହେବନି। ଉକ୍ତ ସ୍କୁଲର ଛାତ୍ରଛାତ୍ରୀ ନିକଟସ୍ଥ ବିଦ୍ୟାଳୟରେ ପରୀକ୍ଷା ଦେବେ। ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ସେଠାକାର ପିଲାମାନେ ନିକଟସ୍ଥ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। ତେବେ କେଉଁ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ ଓ କେଉଁଠି ହେବନି ସେନେଇ ଖୁବ୍ଶୀଘ୍ର ଗାଇଡ୍ଲାଇନ୍ ଜାରି ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା କହିଛନ୍ତି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏଥର କୌଣସି ବି କେନ୍ଦ୍ରରେ ୨୦୦ରୁ ଅଧିକ ପରୀକ୍ଷାର୍ଥୀ ରହିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଏମିତି ନିଷ୍ପତ୍ତି ନେଇଛି। ଯେଉଁଠି ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବ ସେଠାକାର କଥାକୁ ବିଚାରକୁ ନିଆଯାଇପାରେ। ନ ହେଲେ ଗୋଟିଏ କେନ୍ଦ୍ରରେ ୨୦୦ ଭିତରେ ପରୀକ୍ଷାର୍ଥୀ ରହିବେ। ଗୋଟିଏ ବେଞ୍ଚରେ ଜଣେ କିମ୍ବା ଦୁଇ ଜଣ ପରୀକ୍ଷାର୍ଥୀ ବସିବେ। ବେଞ୍ଚ ମଧ୍ୟରେ ୬ ଫୁଟ୍ର ଦୂରତା ରହିବ। ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ। ପୂର୍ବବର୍ଷ ତୁଳନାରେ ଏଥର ପ୍ରାୟ ଏକ ହଜାର ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ପ୍ରାରମ୍ଭିକ ନିଷ୍ପତ୍ତି ନିଆଯାଇଛି। ତେବେ ଫର୍ମ ପୂରଣ ସରିବା ପରେ ଚୂଡ଼ାନ୍ତ ପରୀକ୍ଷା କେନ୍ଦ୍ର ସ୍ଥିର କରାଯିବ। ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ୮ ହଜାର ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ପାଖାପଖି ୪ ହଜାର ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। ବାକି ୪ ହଜାର ବିଦ୍ୟାଳୟର ପିଲା ଅନ୍ୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ।