୧୦ ବର୍ଷରେ କଲେଜରେ ୩ ରାଗିଂ ଅଭିଯୋଗ

ଭୁବନେଶ୍ବର : ଗତ ୧୦ ବର୍ଷରେ ସରକାରୀ ମହାବିଦ୍ୟାଳୟରେ ମାତ୍ର ୩ଟି ରାଗିଂ ଅଭିଯୋଗ ଆସିଛି। ଗତ ଜୁଲାଇ ୨ ତାରିଖରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀନିବାସରେ ରାଗିଂ ଯୋଗୁଁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ତାହା ରାଗିଂ ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହୋଇଛି ପୁଲିସ ତାହାର ତଦନ୍ତ ଜାରି ରଖିଛି। ଏହି ୧୦ ବର୍ଷ ମଧ୍ୟରେ ପୁରୀ ଏସ୍‌ସିଏସ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଓ କଟକ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ଅଭିଯୋଗ ପଞ୍ଜୀକରଣ ହୋଇଥିଲା। କଲେଜ କର୍ତୃପକ୍ଷଙ୍କ ଦ୍ବାରା ଏହାର ସମାଧାନ କରାଯାଇଥିବା ନେଇ ବିଧାୟକ ଭାସ୍କର ମଢେଇଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।

ରୂପାନ୍ତରିତ ସ୍କୁଲର ପ୍ରଧାନଶିକ୍ଷକ ପଦବି ପୂରଣ ହେବ
୫-ଟି ଯୋଜନାରେ ସ୍କୁଲଗୁଡ଼ିକୁ ସାମିଲ କରାଯାଇ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ସ୍ବଭାବ ଓ ସୃଜନଶୀଳ କଳ୍ପନାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୫ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୩୪୬୫ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି। ଏହି କାର୍ଯ୍ୟ ଗଣଶିକ୍ଷା ବିଭାଗ ଦ୍ବାରା ହୋଇଛି ଏବଂ ଜେଇ ନାମରେ କୌଣସି ସିକ୍ୟୁରିଟି ଡିପୋଜିଟ୍‌ ରଖାଯାଇ ନାହିଁ। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପ୍ରଧାନଶିକ୍ଷକ ପଦବିଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ବିଧାୟକ ପର୍ଶୁରାମ ଧଡ଼ା, ମୋହନ ଚରଣ ମାଝୀ, ଅରବିନ୍ଦ ଢାଲିଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି।

ଡିଜିଟାଇଜେସନ୍‌ ହେବ ପରିଜା ପାଠାଗାର ପୁସ୍ତକ ଓ ପୋଥି
ଉତ୍କଳ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମର ବିକାଶ ଲାଗି ୧୯୬୨ରେ ପ୍ରତିଷ୍ଠା ହୋଇଥିବା ପରିଜା ପାଠାଗାରର ଭତ୍ତିଭୂମି ବିକାଶ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଇ-ଲାଇବ୍ରେରି କାର୍ଯ୍ୟକାରୀ ନିମନ୍ତେ ୬.୧୦ କୋଟି ଟଙ୍କା ଦିଆଯାଇଛି। ପାଠାଗାରରେ ଗଚ୍ଛିତ ଥିବା ସମସ୍ତ ପୁସ୍ତକ ଓ ପୋଥିଗୁଡ଼ିକକୁ ଡିଜିଟାଇଜେସନ୍‌ କରିବା ନିମନ୍ତେ ଏନ୍‌ଆଇସିକୁ ଦାୟିତ୍ବ ଦିଆଯାଇଛି। ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ପ୍ରୋ-‌କ୍ବେଷ୍ଟ, ନୂଆ ସଫ୍ଟୱେର ପାଇଁ ସବ୍‌ସ୍କ୍ରିପସନ୍‌ ଚାର୍ଜ ବାବଦରେ ପ୍ରାୟ ୬.୭୯ କୋଟି, ରୁସା-୨ ଯୋଜନାରେ ପ୍ରାୟ ୨.୧୩ କୋଟି ଟଙ୍କାର ଇ-ବୁକ୍‌ କିଣାଯାଇଛି। ଏହି ପାଠାଗାରରେ ୧୪ ହଜାର ୧୦୩ଟି ଇ-ବୁକ୍‌ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର