ବିଜେଡିରେ ମିଶିଲେ ତିନି ରାଜପରିବାର

କଲ୍ୟାଣୀ ଗଜପତି, ବୀରକିଶୋର ଦେବ, କିଶୋର ଚନ୍ଦ୍ର ସିଂହଦେଓ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ତିନି ପ୍ରମୁଖ ରାଜ ପରିବାରର ସଦସ୍ୟମାନେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଆଜି ପୂର୍ବାହ୍ନରେ ନବୀନ ନିବାସରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ କଲ୍ୟାଣୀ ଗଜପତି, ପୁଡ଼ାମାରି ରାଜା ବୀରକିଶୋର ଦେବ ଏବଂ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ବଡ଼ଗଡ଼ ରାଜା ଉଦୟ ନାରାୟଣ ଦେବଙ୍କ ପୁଅ ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ସହ ହଜାର ହଜାର ସମର୍ଥକ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ୪୩ନଂ ଜୋନ୍‌ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନିଲ କୁମାର ପାଢ଼ୀ ଓ ତାଙ୍କର ୩୦ଜଣ ସମର୍ଥକ ବି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ୍‌ ହୋଇଛନ୍ତି। ସାମିଲ୍‌ ହୋଇଥିବା ସମର୍ଥକଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ପ୍ରମୁଖ ଅଛନ୍ତି। ଏହା ସହିତ ଅନୁଗୁଳ ଜିଲ୍ଲା ‌ପାଲଲହଡା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ଜଗମୋହନ ପ୍ରଧାନଙ୍କ ନେତୃତ୍ବରେ ୨୫୦ରୁ ଅଧିକ ବିଜେପି କର୍ମୀ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ଦଳ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିଛନ୍ତି। ଦଳ ସଂଗଠନକୁ ମଜଭୁତ୍‌ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେଡି ଉପସଭାପତି ଚନ୍ଦ୍ରଶେଖର ସାହୁ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହି ଯୋଗଦାନ ପରେ ସାଂସଦ ଶ୍ରୀ ମହାପାତ୍ର କହିଥିଲେ ଯେ, ଓଡ଼ିଶା ଗଠନରେ ଯେଉଁ ପରିବାରର ଅବଦାନ ଅତୁଳନୀୟ ସେହି ପରିବାରର ଯିଏ ଦାୟଦ ସେ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ସେହିପରି ବିଜେଡି ଉପସଭାପତି ଶ୍ରୀ ସାହୁ କହିଥିଲେ, ବିଜୁ ବାବୁଙ୍କ ସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ପର୍କ ଥିଲା। ଆଜି ତାଙ୍କ ନାତୁଣୀ ବିଜେଡିରେ ମିଶିବା ଦ୍ବାରା ଆଗରୁ ଥିବା ସମ୍ପର୍କ ଆହୁରି ନିବିଡ଼ ହୋଇଛି। ଏହା ନିଶ୍ଚିତ ରୂପେ ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବା ସହ ଦକ୍ଷିଣ ଓଡ଼ିଶାରେ ବିଜେଡି ଆହୁରି ଶକ୍ତିଶାଳୀ ହେବ।

ସମ୍ବନ୍ଧିତ ଖବର