୩ ଲୁଟେରା ବନ୍ଧାହେଲେ: ମହିଳାଙ୍କଠାରୁ ଲୁଟିଥିଲେ ୫୦ ହଜାର

ବାରିପଦା: ବାରିପଦା ସହରରେ ଲୁଟ୍‌ତରାଜ ଚଳାଇଥିବା ୩ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବାରିପଦା ଟାଉନ୍‌ ଥାନା ପୁଲିସ। ଗିରଫ ୩ ଲୁଟେରା ହେଲେ ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ କୋପଣ୍ଡ ଗାଁର ରାହୁଲ ପରିମାଣିକ (୨୪), ନାହାକ ଗାଁର ସଂଜୀବ କୁମାର ମହାନ୍ତି (୨୪) ଓ ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗାଁର ଶଙ୍କର ପ୍ରଧାନ (୨୪)। ଏମାନେ ଗତ ୨ ତାରିଖରେ ବାରିପଦା ସହରରୁ ଫୁଲମଣି ମୁର୍ମୁ ନାମକ ଜଣେ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ଫୁଲମଣି ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତନାଘନା ଚଳାଇଥିଲା।

ଏହି ଘଟଣାର ୩ ଦିନ ପରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାରିପଦା ଜୋନାଲ୍‌ କାର୍ଯ୍ୟାଳୟ ସମ୍ମୁଖରୁ ଉପରୋକ୍ତ ୩ ଲୁଟେରା ଛିନ୍‌ତାଇ କରିବାକୁ ଯୋଜନା କରୁଥିବା ସଂପର୍କରେ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ତେବେ ପୁଲିସକୁ ଦେଖି ୩ ଲୁଟେରା ବାଇକ୍‌ ଛାଡି ଦୌଡ଼ି ପଳାଇଥିବାବେଳେ ସେମାନଙ୍କୁ ଧରିବା ସମ୍ଭବ ହୋଇନଥିଲା। ବ୍ୟାଙ୍କର ସିସିଟିଭି ଫୁଟେଜ୍‌କୁ ଦେଖିବା ‌ପରେ ଏପ୍ରିଲ ୨ ତାରିଖରେ ମହିଳାଙ୍କଠାରୁ ଲୁଟ୍ କରିଥିବା ୩ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିଲା ପୁଲିସ୍‌।

ସେମାନଙ୍କୁ ଧରିବା ନିମନ୍ତେ ବାରିପଦା ଟାଉନ ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ବରେ ଏକ ଟିମ୍ ଯାଜପୁର ଜିଲ୍ଲାକୁ ଯାଇ ଖୋଳତାଡ଼ କରିଥିଲେ। ତେବେ ଲୁଟେରା ଛାଡ଼ି ପଳାଇ ଯାଇଥିବା ବାଇକ୍‌ ନମ୍ବରକୁ ଆଧାର କରି ୩ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନାଁରେ ରାଜ୍ୟର ଏକାଧିକ ଥାନାରେ ଚୋରି ଓ ଲୁଟ୍ ମାମଲା ରହିଥିବା ଜଣାପଡ଼ିଛି। ଲୁଟେରା ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଏବେ ବି ଫେରାର ରହିଛି। ଗିରଫ ୩ ଲୁଟେରାଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର