କଟକ: କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା ତଥା ବିଭିନ୍ନ ଜିଲ୍ଲାର ଶତାଧିକ ବରିଷ୍ଠ ନାଗରିକଙ୍କୁ ନେଇ ସରକାରଙ୍କ ପକ୍ଷରୁ ତିରୁପତି ଓ ଭେଲୋର ତୀର୍ଥଗସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। କିନ୍ତୁ ଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ମଧ୍ୟ‌ରୁ ୩ଜଣ ମହିଳା ନିଖୋଜ ହୋଇଯାଇଛନ୍ତି। ‌ସମସ୍ତଙ୍କ ବୟସ ୭୦ ପାଖାପାଖି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ ଓ ଖୋର୍ଦ୍ଧାର ଦୁଇ ଜଣ ମହିଳା ଅଛନ୍ତି। ସେମାନଙ୍କ ଫଟୋ ଓ ସୂଚନା ରେଳ ଷ୍ଟେସନ୍‌ଠାରୁ ଆରମ୍ଭ କରି ତିରୁପତିର ସବୁ ପ୍ରମୁଖ ସ୍ଥାନରେ ଲଗାଯାଇଛି। ସୂଚନା ଦେବାକୁ ମୋବାଇଲ ନମ୍ବର ଜାରି କରାଯାଇଛି। ସେମାନଙ୍କ ସହ ଯାଇଥିବା ଅଧିକାରୀମାନେ ତିରୁପତିରେ ରହି ସେମାନଙ୍କୁ ଖୋଜାଖୋଜି ଚଳାଇଛନ୍ତି। କିନ୍ତୁ ‌ସେଠାକାର ପୁଲିସ ଅଧିକାରୀ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରୁନଥିବାରୁ ଆସନ୍ତାକାଲି ସକାଳେ ତିନି ନିଖୋଜ ମହିଳାଙ୍କ ପରିବାରବର୍ଗ ତିରୁପତି ଯିବେ ଓ ସେଠାରେ ସେମାନଙ୍କ ପରିଜନଙ୍କ ନିଖୋଜ ସଂପର୍କିତ ଏତଲା ଦେବେ ବୋଲି ‌କେନ୍ଦ୍ରାପଡା ଜିଲ୍ଲାରୁ ଯାଇଥିବା ଅଧିକାରୀ ବିଶ୍ବ ପ୍ରକାଶ ସାହୁ ସୂଚନା ଦେଇଛନ୍ତି।

Advertisment

ଏହି ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗତ ୮ତାରିଖରେ ତିରୁପତି, ଭେଲୋର ଯାତ୍ରା ଆରମ୍ଭ ହୋଇଥିଲା। ୧୦ ତାରିଖ ଦିନ ସେମାନେ ତିରୁପତି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ସମସ୍ତେ ମନ୍ଦିର ଦର୍ଶନ ସାରି ଫେରିବାବେଳକୁ କେନ୍ଦ୍ରାପଡା ଜିଲ୍ଲା ଭରତପୁରର ବାସନ୍ତି ମଲ୍ଲ(୭୦), ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ରାଣୀ ଦେବୀ(୭୦) ଓ ଖୋର୍ଦ୍ଧାର ଗୀତାଞ୍ଜଳି ରାଉତ୍‌(୭୧) ନ ଥିଲେ। ପରେ ଛାନଭିନ୍ କରିବାରୁ ଜଣା ପଡିଲା ଯେ ସେମାନେ ମନ୍ଦିରରେ ପ୍ରବେଶ କରି ନାହାନ୍ତି। ବିଭିନ୍ନ ସ୍ଥାନରେ ଖୋଜା‌ଖୋଜି କରିବା ପରେ ମଧ୍ୟ ସେମାନଙ୍କର ପତ୍ତା ନମିଳିବାରୁ ସ୍ଥାନୀୟ ପୁଲିସକୁ ସୂଚିତ କରାଯାଇଥିଲା। କିନ୍ତୁ ସେମାନେ ନିଖୋଜ ସଂକ୍ରାନ୍ତରେ ଏତଲା ଦେବା ପାଇଁ ସେଠାକାର ପୁଲିସ ପରାମର୍ଶ ଦେଇଥିଲେ। କିନ୍ତୁ ପରିବାରବର୍ଗ ହିଁ କେବଳ ଏତଲା ଦେବେ ବୋଲି କହିଥିଲେ। ତେବେ ଅନ୍ୟ ତୀର୍ଥଯାତ୍ରୀମାନେ ପଦ୍ମାବତୀ ଟେମ୍ପଲ, ଭେଲୋରର ଗୋଲଡେନ୍‌ ଟେମ୍ପୁଲ ତଥା ବିଭିନ୍ନ ମନ୍ଦିର ଦର୍ଶନ ସାରି ଟ୍ରେନ୍‌ରେ ଫେରୁଛନ୍ତି। ଏପଟେ ନିଖୋଜ ତିନି ଜଣଙ୍କ ପରିବାର ମଙ୍ଗଳବାର ସକା‌ଳୁ ଟ୍ରେନ୍‌ରେ ତିରୁପତି ଯିବେ ବୋଲି ଜଣାପଡ଼ିଛି। ତିରୁପତିରେ କେନ୍ଦ୍ରାପଡାର ଏସ୍‌କର୍ଟ ଅଫିସର ବିଶ୍ବପ୍ରକାଶ ସାହୁ, ଭାସ୍କର ଦାସ, ‌ଭୁବନେଶ୍ବରର ଅଟଳ ଧର୍ମରାଜ, ହରିହର ବାରିକ୍ ପ୍ରମୁଖ ରହି ଖୋଜାଖୋଜି ଚଳାଇଛନ୍ତି।