କାର ଓଲଟି ୩ ଗୁରୁତର, ୨ ଜଣଙ୍କୁ ବଂଚାଇ ଦେଲା ବେଲୁନ୍‌, ଆହତଙ୍କୁ ନିଜ କାର୍‌ରେ ଡାକ୍ତରଖାନା ନେଲେ ପୂର୍ବତନ ସାଂସଦ ଝିନ୍ନ ହିକକା

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଡୋଳିଆମ୍ବା ଗାଁ ନିକଟରେ ଆଜି ଅପରାହ୍ନ ସାଢେ ୪ଟାରେ ଏକ କ୍ରେଟା କାର୍‌ (ଓଡି୦୨-ଜେଡ୍‌-୬୬୯୯) ଦୁର୍ଘଟଣା ଘଟିବାରୁ ଏଥିରେ ୪ଜଣ ଲୋକ ଆହତ ହୋଇଛନ୍ତି। କିନ୍ତୁ କାରର ବେଲୁନ ୨ ଜଣଙ୍କ ଜୀବନକୁ ସୁରକ୍ଷା ଦେଇଛି।

ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ସେମାନଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରତର ଆହତମାନଙ୍କ ମଧ୍ୟରେ ରବୀନ୍ଦ୍ର ବେହେରା, ଅଲେଖ ଜେନା ଓ ଅଶୋକ କୁମାର ସେଠୀ ଅଛନ୍ତି। ଅନ୍ୟ ଜଣେ ହେଲେ ସୌମ୍ୟ ରଞ୍ଜନ ମହାପାତ୍ର। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡା ଯାଇଛି।

ଦୁର୍ଘଟଣା ସଂପର୍କରେ ଖବର ପାଇ ଲକ୍ଷ୍ମୀପୁର ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି। କୋରାପୁଟ ପୁଲିସ ହାଉସିଙ୍ଗ୍‌ ବୋର୍ଡର ଠିକାଦାର ଅଶୋକ ଅନ୍ୟ କର୍ମଚାରୀଙ୍କୁ ଧରି ଆଜି ବନ୍ଧୁଗାଁ ଥାନାକୁ କୌଣସି କାମରେ ଯାଇ ଅପରାହ୍ନରେ ଫେରୁଥିଲେ। ଡୋଳିଆମ୍ବା ନିକଟ ଜାତୀୟ ରାଜପଥ ଉପରେ ତାଙ୍କ କାର ସାମନାକୁ ଏକ ବାଇକ ଚାଳକ ଚାଲିଆସିବାରୁ ମୋଟର ସାଇକେଲ୍‌ ଚାଳକଙ୍କୁ ବଚାଂଇବାକୁ ଯାଇ ହଠାତ୍‌ ବ୍ରେକ ମାରିଦେବା ଫଳରେ କାରଟି ଡାହାଣ ପଟେ ପଲଟି ମାରି ଓଲଟି ପଡିଥିଲା।

ତେବେ ସେହି ସମୟରେ ପୂର୍ବତନ ସାଂସଦ ଝିନ୍ନ ହିକକା ନିଜ ଗାଁକୁ ଯାଉଥିବା ବେଳେ ଦୁର୍ଘଟଣାଗସ୍ତ କାରଟିକୁ ଦେଖି ନିଜ ଗାଡି ଅଟକାଇ ୧୦୮କୁ ଫୋନ କରିଥିଲେ। ୧୦୮ ଆମ୍ବୁଲାନ୍‌ସ ତୁରନ୍ତ ଘଟଣା ସ୍ଥଳରେ ପହଁଚିଥିଲେ ମଧ୍ୟ ଚାରିଜଣଙ୍କୁ ମେଡିକାଲ ଆଣିବାକୁ ସେଥିରେ ଜାଗା ନହେବାରୁ ଶ୍ରୀ ହିକକା ନିଜ କାରରେ ଅନ୍ୟଜଣେ ଆହତଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଚିକିସ୍‌ଛା କରୁଥିବା ଡାକ୍ତର ଦୀପ୍ତି ରଞ୍ଜନ ପ୍ରଧାନ ଓ ପ୍ରତ୍ୟୁଷ ଜେନା ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରି ୩ଜଣ ଗୁରୁତରଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ।

ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାରରେ ଥିବା ଅତ୍ୟାଧୁନିକ ଶୈଳୀର ବେଲୁନ୍‌ ବାହାରି ପଡିବାରୁ ଦୁଇଜଣ ମୃତ୍ୟୁ ମୁଖରୁ ବଂଚି ଯାଇଥିଲେ ମଧ୍ୟ ଗୋଡ ହାତ ସଂମ୍ପୂର୍ଣ ଭାବେ ଭାଙ୍ଗିଯାଇଛି।

ସମ୍ବନ୍ଧିତ ଖବର