ଜଗତସିଂହପୁର ଟାଉନ୍ : ଜଗତସିଂହପୁରରେ ବିଷାକ୍ତ ମଦକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ମଦ ପିଇ ତିନି ଜଣ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବାପରେ ଏହାକୁ ନେଇ ଜଗତସିଂହପୁର ସହରରେ ମଦ୍ୟପାନକାରୀଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ସୋମବାର ମଧ୍ୟାହ୍ନରୁ ୩ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅସୁସ୍ଥ ହୋଇଥିବା ୩ ଜଣ ଓହଳ ମାଳିସାହି ଗଡ଼ାର ବୋଲି ଜଣାପଡ଼ିଥିବା ବେଳେ ମଦ ବିକ୍ରି କରିଥିବା ଦୁଇ ଜଣ ଯୁବକ ଫେରାର ହୋଇ ଯାଇଛନ୍ତି। କିନ୍ତୁ, ଯେଉଁ ମଦ ସେମାନେ ପିଇଥିଲେ ତାହା ଜବତ କରାଯାଇ ପାରିନାହିଁ ଓ ଉକ୍ତ ବୋତଲ ଜଣେ ବ୍ୟକ୍ତିଙ୍କ ଘରେ ରଖାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମାଳିସାହି ଗଡ଼ାର ଶରତଙ୍କ ଘରେ ସୋମବାର ଦିନ ଧାନ ବାଡ଼ିଆ କାମ ଚାଲୁଥିବା ବେଳେ ଶରତ ଏକ ବିଦେଶୀ ମଦ ଦୋକାନରୁ କ୍ବାଟ୍(୭୫୦ ମି.ଲି) ମଦ ଆଣିଥିଲେ। ତିନିଜଣ ଯାକ ମିଶି ମଦ ପିଇବା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ସେମାନଙ୍କ ମୁଣ୍ଡ ବୁଲାଇବା ଆରମ୍ଭ କରିଥିଲା। ତୁରନ୍ତ ଏ ନେଇ ସେମାନେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସେମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମଦ ପିଇ ଏପରି ହୋଇଥିବା ଜଣାପଡ଼ିବା ପରେ ତୁରନ୍ତ ସେମାନଙ୍କ ଚିକିତ୍ସା କରାଯାଇଥିଲା। ଏହା ପରେ ମେଡିସିନ୍ ଵାର୍ଡ ଆର୍-୨, ୩, ୪ରେ ଭର୍ତ୍ତି କରାଯାଇଥିଲା। ଏପରିକି ଶରତଙ୍କ ମୁହଁରେ କିଛି ଆବୁ ବାହାରିବା ଭଳି ଫଳି ଯାଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ଉକ୍ତ ମଦ ବୋତଲକୁ ଧରି ସୋମବାର ସକାଳୁ ବିକ୍ରି କରିବା ପାଇଁ ବିଭିନ୍ନ ସ୍ଥାନ ବୁଲୁଥିଲେ। ବଜାର ଦର ୬ ଶହରୁ ଅଧିକ ଟଙ୍କା ହୋଇଥିବା ବେଳେ ସେମାନେ ତାହାକୁ ୩୫୦ ଟଙ୍କାରେ ଶରତଙ୍କୁ ବିକ୍ରି କରିଥିଲେ।। ବୋତଲର ଷ୍ଟିକର ଚିରି ଯାଇଥିଲେ ମଧ୍ୟ କମ୍ ଦାମ୍ରେ ମଦ ମିଳୁଥିବାରୁ ଶରତ କିଣିଥିଲେ। ସେହି ମଦରୁ ଅଳ୍ପ କିଛି ପିଇବାପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ବୋତଲରେ କିଛି ଭାସୁଥିବା ମଧ୍ୟ ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକ। ଏହା ହାତ ତିଆରି ମଦ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତେବେ, ଏହି ମଦ ଆସିଲା କେଉଁଠୁ? କେଉଁଠି ଏହାକୁ ତିଆରି କରାଯାଇଥିଲା? ଜଗତସିଂହପୁର ଜିଲ୍ଲାରେ ନା ଏହା ବାହାର ଜିଲ୍ଲାରୁ ଆସିଛି? କେବଳ ଏହି ଗୋଟିଏ ଜାଗା ନା ଅନ୍ୟ କେଉଁଠି ବି ଏହି ମଦକୁ ବିକ୍ରି କରାଯାଇଛି? ମଦ ବିକ୍ରି କରିଥିବା ଦୁଇ ଯୁବକଙ୍କୁ ଧରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ସେମାନେ ସେହି ମଦ କେଉଁଠୁ ଆଣିଥିଲେ ତାହା ବି ଜଣାପଡ଼ିବ। କିନ୍ତୁ ଏ ନେଇ ଅବକାରୀ କିମ୍ବା ପୁଲିସ ପାଖରେ କୌଣସି ଖବର ନାହିଁ।