ବାପା ଚାଲି ଯାଇଥିଲେ, ମା’ ବି ଚାଲିଗଲେ: ଅସୁରକ୍ଷିତ ଅବସ୍ଥାରେ ତିନି ଭଉଣୀ

ଭୁବନେଶ୍ୱର: ହେତୁ ପାଇଲା ବେଳକୁ ବାପା ଛାଡ଼ି ଚାଲି ଯାଇଥିଲେ। ହେଲେ ବାପାଙ୍କୁ ହରାଇବାର ଦୁଃଖ କେବେ ଅନୁଭବ କରିବାକୁ ଦେଇ ନଥିଲେ ମା’ ରେଣୁବାଳା ବଳିୟାରସିଂହ। ପର ଘରେ ବାସନ ମାଜି ତିନି ଝିଅଙ୍କୁ ବଡ଼ କରିବା ସହ ପାଠ ମଧ୍ୟ ପଢ଼ାଉଥିଲେ। ବଡ଼ ଝିଅ ସସ୍ମିତା ଚଳିତ ବର୍ଷ ମହର୍ଷି କଲେଜରୁ ଯୁକ୍ତ ଦୁଇ ପାଶ୍‌ କରିଥିବା  ସତ୍ତ୍ୱେ, ପରିବାରର ଏପରି ଅଭାବନୀୟ ପରିସ୍ଥିତ ପାଇଁ ପାଠ ପଢ଼ାରେ ଡୋରି ବାନ୍ଧିଛନ୍ତି। ମଝିଆଁ  ଝିଅ ଦେବସ୍ମିତା ଦଶମ ଶ୍ରେଣୀରେ ପଢୁଥିବା ବେଳେ ସାନ ଝିଅ ମଧୁସ୍ମିତା ସପ୍ତମ ଶ୍ରେଣୀରେ ପାଠ ପଢୁଛି।

ସବୁ ଦୁଃଖକୁ ଭୁଲି ପରିବାରର ଭାଗ୍ୟକୁ ଆଦରି ଚଳୁଥିବା ବେଳେ ପୁଣି ଦଗା ଦେଲା ଦଇବ। ପାଞ୍ଚ ବର୍ଷ ତଳେ ବାପା ହୃଦଘାତରେ ଚାଲି ଯାଇଥିବା ବେଳେ ମା’ ଶକୁନ୍ତଳା ଗତ ସେପ୍ଟେମ୍ବର ୩ରେ କିଡ୍‌ନୀ ରୋଗରେ ଚାଲିଗଲେ।

ମା’ ଚାଲିଗଲାପରେ ଘରର ରୋଜଗାର ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ସହିଦନଗରସ୍ଥିତ ନିଜ ଭଙ୍ଗା ଆଜବେଷ୍ଟ ଘରେ ତିନି ଭଉଣୀ ରହୁଥିବା ବେଳେ କ’ଣ ଖାଇବେ, କେମିତି ଚଳିବେ ଏହାକୁ  ନେଇ ଘୋର ଚିନ୍ତାରେ ଦିନ କାଟୁଛନ୍ତି। ମା’ ଚାଲିଗଲା ପରେ  ପାଖରେ ଥିବା ମାଉସୀ କୁନି ସେନାପତି ତିନ ଭଉଣୀଙ୍କ ଯଦିଓ ଖାଇବା ଖବର ବୁଝୁଛନ୍ତି।

କିନ୍ତୁ ଏମିତି କେତେ ଦିନ ଚାଲିବ, ମାଉସୀଙ୍କ  ଘରର  ଆର୍ଥିକ ସ୍ଥିତ ମଧ୍ୟ ଭଲ ନୁହେଁ। ସେ  କେତେଦିନ ଆମକୁ ଚଳାଇବେ ବୋଲି ହୋହଭରା କଣ୍ଠରେ କହିଛନ୍ତି ସସ୍ମିତା। କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ଚାକିରି ପାଇବା ପାଇଁ ସହଯୋଗ ଆଶା କରିଛନ୍ତି ସସ୍ମିତା। ମା’ ଥିଲାବେଳେ ନିଜ ଭଙ୍ଗା ଘରେ ଚଳି ଯାଉଥିଲେ ତିନି ଭଉଣୀ। କିନ୍ତୁ ବର୍ତମାନ ଏହି ଘରେ ରହିବାକୁ ତିନି ଭଉଣୀ ସୁରକ୍ଷିତ ମଣୁନାହାନ୍ତି। ଦିନରେ ସେଇ ଘରେ ରହୁଥିବା ବେଳେ, ରାତିରେ ମାଉସୀ ଘରେ ଆଶ୍ରୟ ନେଉଛନ୍ତି। ସରକାରୀ ଯୋଜନାରେ ଏମାନଙ୍କ ପାଇଁ ଘର ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।   ସ୍ଥାନୀୟ କର୍ପୋରେଟର୍‌ଙ୍କ ସମେତ ସ୍ୱେଚ୍ଛାସେବୀ ସଂଗଠନ କ୍ଲିନ୍‌ ଓଡ଼ିଶା ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ରାୟ କିଛି ପରିମାଣରେ ସହଯୋଗ କରୁଥିବା ପରିବାରବର୍ଗ କହିଛନ୍ତି। କୌଣସି ଘରୋଇ ସଂସ୍ଥା କିମ୍ବା ବଦାନ୍ୟ ବ୍ୟକ୍ତ ଏହି ଅନାଥ ତିନି ଭଉଣୀଙ୍କୁ ସହଯୋଗ କରିବାକୁ ଚାହୁଁଥିଲେ ମୋବାଇଲ ନମ୍ବର ୯୦୯୦୬୨୪୮୪୯/୯୯୩୭୧୧୪୦୭୮ରେ ଯୋଗାଯୋଗ କରିପାରିବେ

ସମ୍ବନ୍ଧିତ ଖବର