ନଦୀରେ ଭାସିଗଲେ ୩ ଭଉଣୀ : ଦୁଇ ଉଦ୍ଧାର, ଜଣେ ମୃତ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବନ୍ଧପଡା ପଂଚାୟତ ଗୋବିନ୍ଦପୁର ଗ୍ରାମ ନିକଟରେ ବ୍ରାହ୍ମଣୀର ଶାଖା ନଦୀରେ ଆଜି ତିନି ଭଉଣୀ ସାଙ୍ଗହୋଇ ଗାଧଉଥିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଙ୍କୁ ଉଦ୍ଧାର କରିଛନ୍ତି ଅଜୟ କୁମାର ପ୍ରଧାନ ନାମକ ଜଣେ ଯୁବକ।

ପ୍ରକାଶ ଯେ ଗୋବିନ୍ଦପୁର ଗ୍ରାମର ପୁରୋସ୍ତମ ପାତ୍ରଙ୍କ ଝିଅ ଲିଜାରାଣୀ (୧୫)ଙ୍କ ସହ ତାଙ୍କର ଦାଦା ଝିଅ ଦୁଇ ଭଉଣୀ ସାଙ୍ଗହୋଇ ବ୍ରାହ୍ମଣୀର ଶାଖା ନଦୀରେ ଗାଧଉଥିଲେ। ନଦୀରେ ହଠାତ ସୁଅ ଆସିବାରୁ ଦୁଇ ଭଉଣୀ ପ୍ରଥମେ ଭାସିଯାଇ ଥିଲେ। ଦୁଇ ଭଉଣୀଙ୍କୁ ଉଦ୍ଧାର କରିବାକୁ ଲିଜାରାଣୀ ହାତ ବଢାଇବା ବେଳେ ସେ ମଧ୍ୟ ନଦୀ ସୁଅରେ ଭାସି ଯାଇଥିଲେ। ଏହି ସମୟରେ ଅନ୍ୟ ଏକ ତୁଠରେ ଗାଧଉଥିବା ଗ୍ରାମର ଅଜୟ କୁମାର ପ୍ରଧାନ ନାମକ ଯୁବକ ତିନି ଭଉଣୀଙ୍କ ଚିତ୍କାର ଶୁଣି ଲିଜାରାଣୀଙ୍କ ଦୁଇ ଭଉଣୀ ଲଭଲି ଓ ସାନିଙ୍କୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ। କିନ୍ତୁ ଏହି ଲିଜାରାଣୀ ନଦୀରେ ବୁଡି ଯାଇଥିଲେ। ଖୋଜା ଖୋଜି କରି ନଦୀରୁ ଗୁରୁତର ଅବସ୍ଥାରେ ଲିଜାରାଣୀଙ୍କୁ ଉଦ୍ଧାର କରାଯାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଲିଜାରାଣୀଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଗାଁ ମଶାଣିରେ ଲିଜାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର