୩ ବର୍ଷରେ ଆରପାରିକୁ ଚାଲିଗଲେ ୩ ଭେଣ୍ଡିଆ ପୁଅ

କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ଅଧୀନ କଳାବାଡ଼ିଆ କଲୋନି ସାହିର ଡମାନ ମାରାଣ୍ଡି ଉପରେ ସତେ ଯେମିତି ଦାଉ ସାଧିଛି ଦଇବ। ୩ ବର୍ଷରେ ୩ ଭେଣ୍ଡିଆ ପୁଅଙ୍କ ହରାଇ ପୁତ୍ରଶୂନ୍ୟ ହୋଇ ଯାଇଛନ୍ତି ଡମାନ। ଜଣେ ପରେ ଜଣେ ଭେଣ୍ଡିଆ ପୁଅ ହଠାତ୍ ମରିଯିବା ଘଟଣା ବାପା ଡମାନଙ୍କ ସମେତ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।

କୋଲୋନି ସାହିରେ ପରିବାର ନେଇ ହସଖୁସିରେ ରହୁଥିଲେ ଡମାନ ମାରାଣ୍ଡି(୬୦)। ଘରେ ଥିଲେ ସ୍ତ୍ରୀ ସଲମା(୪୫), ବଡ଼ପୁଅ ବିଶ୍ବନାଥ(୩୦), ମଝିଆ ପୁଅ ରାମକୃଷ୍ଣ (୨୮), ସାନପୁଅ ଗଣେଶ୍ୱର ମାରାଣ୍ଡି(୨୨) ଓ ମା’ ରାଧି (୭୫)। ଏକ ମାତ୍ର ଝିଅକୁ ବିବାହ କରାଇ ଦେଇଥିଲେ। ତେବେ କିଛି ବର୍ଷ ପୂର୍ବରୁ ସ୍ତ୍ରୀ ସଲମା କୁଚେଇ ନିକଟରେ ଟ୍ରେନ୍‌ ଧକ୍କାରେ ପ୍ରାଣ ହରାଇଲେ। ଏହାପରଠାରୁ ପରିବାର ଉପରକୁ ମାଡ଼ି ଆସିଲା ଦୁଃଖର କଳାବାଦଲ। ୨ ବର୍ଷକ ତଳେ ଜ୍ବାଇଁ ଭୁକ୍ତୁ ହାଁସଦାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ଏହାର କିଛି ଦିନ ପରେ ସାନପୁଅ ଗଣେଶ୍ୱର ମାନସିକ ଭରସାମ୍ୟ ହରାଇ ଫାଶୀ ଲଗାଇ ଆତ୍ମହତ୍ୟା କଲା। ତା’ର ୧୫ ଦିନ ପରେ ଶିକ୍ଷକ ଥିବା ବଡ଼ପୁଅ ବିଶ୍ବନାଥଙ୍କର ହଠାତ୍‌ ରକ୍ତବାନ୍ତି ହେଲା ଓ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲା। ପତ୍ନୀ, ଦୁଇ ପୁଅ ଓ ଜ୍ବାଇଁକୁ ହରାଇବା ପରେ ବି ମଝିଆ ପୁଅ ରାମକୃଷ୍ଣଙ୍କ ମୁହଁକୁ ଚାହିଁ ବଞ୍ଚିଥିଲେ ଡମାନ। ତେବେ କିଛି ଦିନ ଆଗରୁ ରାମକୃଷ୍ଣଙ୍କ ଗୋଡ଼ହାତ ଫୁଲିଗଲା। ଡାକ୍ତରୀ ପରୀକ୍ଷାରୁ ତାଙ୍କର କିଡନୀ ରୋଗ ଥିବା ଜଣା ପଡ଼ିଥିଲା। ଶେଷରେ ଆଜି ଆଖି ବୁଜିଦେଲେ ରାମକୃଷ୍ଣ। ତାଙ୍କ ମୃତ୍ୟୁ ସହ ପୁତ୍ରଶୂନ୍ୟ ହୋଇଗଲେ ଡମାନ। ନାତିମାନଙ୍କୁ ହରାଇ ବୁଢ଼ୀମା’ ଓ ପୁଅମାନଙ୍କୁ ହରାଇ ବୃଦ୍ଧ ଡମାନ ଏବେ ନିର୍ବାକ ହୋଇ ଯାଇଛନ୍ତି। ଭଗବାନ ଏମିତି ଦୁଃଖ ଆଉ କାହାକୁ ନ’ଦିଅନ୍ତୁ ବୋଲି କହୁଛନ୍ତି ଗ୍ରାମବାସୀ।

ସମ୍ବନ୍ଧିତ ଖବର