ପୁରୀ ଓ ଭୁବନେଶ୍ୱରରୁ ଆଉ ୩ଟି ସ୍ୱତନ୍ତ୍ର ଟ୍ରେନ୍, ଭୁବନେଶ୍ୱର-ବେଙ୍ଗାଲୁରୁ ମଧ୍ୟରେ ଚାଲିବ ସୁବିଧା ଟ୍ରେନ୍

ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀ ପାଇଁ ପୁରୀ-ଅମୃତସର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ପୁରୀ ଓ ଭୁବନେଶ୍ବରରୁ ୩ଟି ସ୍ବତନ୍ତ୍ର ଟ୍ରେନ୍ ଅମୃତସର, ବେଙ୍ଗାଲୁରୁ ଓ ଭୋପାଳକୁ ଚଳାଚଳ କରିବ। ଆଜି ପୂର୍ବତଟ ରେଳପଥ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିବସ ପାଳନକୁ ଦୃଷ୍ଟିରେ ରଖି ପୁରୀରୁ ଅମୃତସରକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଯାଉଥିବାବେଳେ ବେଙ୍ଗାଲୁରୁ ଓ ଭୋପାଳ ଦିଗକୁ ଯାତ୍ରୀ ଭିଡ଼କୁ ତର୍ଜମା କରି ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଏବଂ ପୁରୀରୁ ଭୋପାଳକୁ ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ପଦକ୍ଷେପ ନିଆଯାଇଛି।

ପୁରୀ-ଅମୃତସର-ପୁରୀ ସ୍ୱତନ୍ତ୍ର ଟ୍ରେନ (୦୮୪୨୭/୦୮୪୨୮) ନଭେମ୍ବର ୯(ଶନିବାର) ରାତି ୧୨ଟା ୩୫ରେ ପୁରୀଠାରୁ ଛାଡ଼ି ସୋମବାର ରାତି ୧୨ଟା ୩୦‌ରେ ଅମୃତସରରେ ପହଞ୍ଚିବ। ଫେରିବାବେଳେ ଏହି ଟ୍ରେନ ଅମୃତସରରୁ ନଭେମ୍ବର ୧୨(ମଙ୍ଗଳବାର) ରାତି ୧୨ଟା ୪୫ରେ ଛାଡ଼ି ଗୁରୁବାର ରାତି ୧୦ଟା ୩୦ରେ ପୁରୀଠାରେ ପହଞ୍ଚିବ। ଏହା ଉଭୟ ଦିଗରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ଓ ଖରିଆର ରୋଡ଼ ସହିତ ରାଇପୁର-ଅନୁପପୁର-ଶହଡୋଲ, କାଟନି ମୁରୱIର, ଝାନ୍ସି, ଆଗ୍ରା, ନୂଆଦିଲ୍ଲୀ, ଆମ୍ବଲା କ୍ୟାଣ୍ଟ ଓ ଲୁଧିଆନା ମାର୍ଗରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହିବ। ସେହିପରି ଭୋପାଳ ମାର୍ଗରେ ହବିବଗଞ୍ଜ-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ(୦୧୬୬୧/୦୧୬୬୨) ସେବାକୁ ନଭେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଟ୍ରେନ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ରେ ଛାଡ଼ି ପୁରୀଠାରେ ତା’ପରଦିନ ପୂର୍ବାହ୍ନ ୧୦ଟାରେ ପହଞ୍ଚୁଥିବା ବେଳେ ଏହା ପୁରୀଠାରୁ ପ୍ରତି ବୁଧବାର ଅପରାହ୍ନ ୩ଟାରେ ଛାଡ଼ି ହବିବଗଞ୍ଜଠାରେ ଗୁରୁବାର ଅପରାହ୍ନ ୩ଟା ୨୫ରେ ପହଞ୍ଚୁଛି। ଏହା ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ, ରାଇଗଡ଼, ବିଳାସପୁର, ନ୍ୟୁକାଟଣି, ଜବଲପୁର ଓ ଇଟାରସି ମାର୍ଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହୁଛି।

ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ସୁବିଧା ସ୍ୱତନ୍ତ୍ର ଟ୍ରେନ( ୮୨୮୪୩/୮୨୮୪୪) ନଭେମ୍ବର ୪ରୁ ୨୫ ତାରିଖ ମଧ୍ୟରେ ଭୁବନେଶ୍ୱରରୁ ପ୍ରତି ସୋମବାର ରାତି ୧୨ଟା ୫ରେ ଛାଡ଼ି ତା’ପରଦିନ ରାତି ୧୨ଟା ୫୫‌ରେ ବେଙ୍ଗାଲୁରୁରେ ପହଞ୍ଚିବ। ଫେରିବା ବାଟରେ ଏହା ନଭେମ୍ବର ୬ରୁ ୨୭ ମଧ୍ୟରେ ବେଙ୍ଗାଲୁରୁଠାରୁ ପ୍ରତି ବୁଧବାର ସକାଳ ୫ଟା ୪୦ରେ ଛାଡ଼ି ତା’ପରଦିନ ସକାଳ ୭ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱର ଓ ବେଙ୍ଗାଲୁରୁ ମଧ୍ୟରେ ଥିବା ସବୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ।

ସମ୍ବନ୍ଧିତ ଖବର