ଦେଶରେ ପ୍ରଥମ: କେନ୍ଦ୍ରାପଡ଼ାରେ ୩ ପ୍ରଜାତିର କୁମ୍ଭୀର ଚିହ୍ନଟ

କେନ୍ଦ୍ରାପଡ଼ା/ରାଜନଗର : ବିରଳ ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ହେଉଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଭାରତର ସବୁଠୁ ଅଧିକ ଲୁଣିପାଣି କୁମ୍ଭୀର ବା ବଉଳା କୁମ୍ଭୀର ଏହି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳେ। ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭାବେ ପ୍ରସିଦ୍ଧ ଏହି ଜିଲ୍ଲାରେ ଏବେ ମଗର ଓ ଘଡ଼ିଆଳ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଛି। ଯଦିଓ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବଉଳା, ମଗର ଓ ଘଡିଆଳ କୁମ୍ଭୀର ଦେଖିବାକୁମିଳେ। କିନ୍ତୁ ଗୋଟିଏ ଅଂଚଳରେ ଏକାବେଳକେ ୩ ପ୍ରଜାତିର କୁମ୍ଭୀର ଦେଖାଯିବା ବିରଳ ଏବଂ ସାରା ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ଏ କ୍ଷେତ୍ରରେ ବ୍ୟତିକ୍ରମ ବୋଲି ଡିଏଫ୍‌ଓ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।

୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିଥିଲା। ଏହାପରେ କୁମ୍ଭୀରମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍.ଆର୍. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡାଙ୍ଗମାଳଠାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ବ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧୭୬୮ରେ ପହଁଚିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପରିବେଶପ୍ରେମୀଙ୍କୁ ବିମୋହିତ କରିଥିବାବେଳେ ଏବେ ଆଉ ଏକ ଖୁସି ଖବର ଆସିଛି। କେନ୍ଦ୍ରାପଡ଼ା ଦେଶର ଏକମାତ୍ର ଜିଲ୍ଲା, ଯେଉଁଠି ସାରା ଭାରତ ବର୍ଷରେ ଦେଖାଯାଉଥିବା ସମସ୍ତ ୩ ପ୍ରଜାତିର କୁମ୍ଭୀର ବଉଳା ବା ଲୁଣିପାଣି କୁମ୍ଭୀର, ଘଡ଼ିଆଳ ବା ଥଂଟିଆ କୁମ୍ଭୀର ଓ ମଗର ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯାଇଛି।

୨୦୧୬ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ଲୁଣାନଦୀର ଗୋପ ନିକଟରେ ୧୪ଫୁଟ ୭ ଇଞ୍ଚର ଏକ ମଗର ଜାତିର କୁମ୍ଭୀର ଧରାଯାଇଥିଲା। ଆଜି ମହାକାଳପଡ଼ା ବ୍ଲକ୍‌ ଅମେଇପାଳ ପଂଚାୟତ ସାମଝରି ଗାଁ ନିକଟ ପାଇକା ନଦୀରୁ ଘଡ଼ିଆଳ ବା ଥଂଟିଆ କୁମ୍ଭୀର ଉଦ୍ଧାର କରାଯାଇଛି। ଏହି ଗାଁର ଶାରଦା ପ୍ରସାଦ ମହାନ୍ତି ଆଜି ନଦୀରେ ଜାଲ ପକାଇବାବେଳେ ତାଙ୍କ ଜାଲରୁ ଏହି କୁମ୍ଭୀର ଧରାଯାଇଛି। ୨୩୦ ଗ୍ରାମ ଓଜନ ଓ ଦେଢ଼ଫୁଟ ଲମ୍ବର କୁମ୍ଭୀରକୁ ବନବିଭାଗ ନିଜ ହେପାଜତକୁ ନେଇଛି। କେନ୍ଦ୍ରାପଡା ରେଞ୍ଜ୍‌ ଅଫିସର ଗୋବିନ୍ଦ ରଥ ଏହି କୁମ୍ଭୀରଙ୍କୁ ଉଦ୍ଧାର କରି ମହାକାଳପଡ଼ା ରେଂଜ ଅଫିସର ସାହାଜୀ ଚରଣ ବିଶ୍ବାଳଙ୍କୁ ହସ୍ତାନ୍ତର କରିଥିଲେ।

ରାଜନଗର ଡିଏଫଓ ଡକ୍ଟର ଯଜ୍ଞଦତ ପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରଜାତିର କୁମ୍ଭୀର ବିରଳ ହୋଇଥିବାରୁ ଏହି କୁମ୍ଭୀରକୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି। କୌଣସି ଜିଲ୍ଲାରେ ଦେଶରେ ଦେଖାଯାଉଥିବା ସମସ୍ତ ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯିବାରେ କେନ୍ଦ୍ରାପଡ଼ା ପ୍ରଥମ ଜିଲ୍ଲା ବୋଲି ଡିଏଫ୍‌ଓ ଡକ୍ଟର ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର