ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ ଘରୋଇ କୋଚିଂ ସେଣ୍ଟରରେ ପୁଣି ଅଘଟଣ। ଗତ ୧୯ ତାରିଖରେ କେନ୍ଦୁଝର ସହରରେ ମାନସୀ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ସମାନ ଘଟଣା ଘଟିଛି ଶନିବାର ରାତି ଚମ୍ପୁଆ ବ୍ଲକ ଜାଲି ପଂଚାୟତର ନିଶ୍ଚିତପୁର ଗ୍ରାମରେ ଥିବା କୋଚିଂ ସେଣ୍ଟରରେ। ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ସହ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ ଚମ୍ପୁଆ ବ୍ଲକ ଜାଲି ପଂଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ରାତିରେ ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଶୋଇଥିଲେ। ତେବେ ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା।

Advertisment

ଆଜି ସକାଳେ ଏନେଇ ଜଣାପଡିଥିଲା | ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ମୃତ ଛାତ୍ରଙ୍କ ନାମ ରାଜା ନାଏକ (୧୨), ଛାତ୍ରୀଙ୍କ ନାମ ଏଲିନା ନାଏକ (୭), ସ୍ନେହାଶ୍ରୀ ନାଏକ (୧୦) ବୋଲି ଜଣାପଡିଛି | ସେହିପରି ଆକାଶ ନାଏକ (୧୨) ନାମକ ଛାତ୍ର ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ ଖଗେଶ୍ୱର ମହାନ୍ତ ଏହି କୋଚିଂ ସେଣ୍ଟର କରିଥିଲେ। ଏହି କୋଚିଂ ସେଣ୍ଟରର ନାମ ଥିବାରୁ ଆଖପାଖ ଅଂଚଳର ପିଲାମାନେ ଏଠାରେ ରହି ପାଠ ପଢୁଥିଲେ।