ଅସ୍ତରଙ୍ଗ: ଦେବୀନଦୀରେ ବୁଡ଼ି ତିନିଜଣ ସ୍କୁଲ୍ ଛାତ୍ର ଆଜି ଜୀବନ ହରାଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନଗର ପଞ୍ଚାୟତ ବାଲିଡ଼ିଆ ଗ୍ରାମରେ ଘଟିଥିବା ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକମାନେ ହେଲେ, ଆୟୁଷ୍ମାନ ବେହେରା ଓରଫ ଓମ୍ (୧୪), ରିତେଶ ବେହେରା ଓରଫ କାହ୍ନା (୧୩ ), ରୋହନ ବେହେରା(୧୪)। ସୋମନଙ୍କ ମଧ୍ୟରୁ ଜଣେ ଆଳସାହି ପାଞ୍ଚଗ୍ରାମ ୟୁଜି ୟୁପି ସ୍କୁଲର ଛାତ୍ର ଥିଲେ। ଅନ୍ୟ ଦୁଇଜଣ ନିକଟସ୍ଥ ଐଶାନେଶ୍ୱର ବିଦ୍ୟାପୀଠ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରୀଷ୍ମ ଅବକାଶ ପରେ ଆଜି ସ୍କୁଲ୍‌ ଖୋଲିଥିଲା। ଦିନ ସାଢ଼େ ୧୦ଟାରେ ସ୍କୁଲ୍‌କୁ ଫେରିବାପରେ ଚାରିଜଣ ପିଲା ନିକଟସ୍ଥ ଦେବୀନଦୀ କୂଳକୁ ଗାଧୋଇବାକୁ ଯାଇଥିଲେ। ମା’ ଆକଟ କରିବାରୁ ସେମାନଙ୍କ ମଧ୍ୟରୁ ଜଣେ ଘରକୁ ଫେରିଆସିଥିଲେ। ତେବେ ପ୍ରତାପ ବେହେରାଙ୍କ ପୁଅ ଓମ୍‌, ସୁବ୍ରତ ବେହେରାଙ୍କ ପୁଅ ରିତେଶ ଓ ରଞ୍ଜନ ବେହେରାଙ୍କ ପୁଅ ରୋହନ ଗାଧୋଇବାକୁ ନଈରେ ପଶିଥିଲେ। ବହୁସମୟ ଧରି ତିନିଜଣ ଯାକ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ମାତ୍ର ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ପରେ ଯେଉଁ
ପିଲା ଜଣକ ଘରକୁ ଫେରିଆସିଥିଲେ, ତାଙ୍କଠାରୁ ସୂଚନା ପାଇ ନିର୍ଦ୍ଦିଷ୍ଟ ଗାଧୁଆ ଘାଟରେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଖୋଜାଖୋଜି କରିଥିଲେ। ସେଠାରେ ଥିବା ଏକ ଡଙ୍ଗାରେ ଏହି ପିଲାମ‌ାନଙ୍କ ସାର୍ଟ, ଚପଲ ଥୁଆ ହୋଇଥିବା ଦେଖି ନଦୀର ସେହି ସ୍ଥାନରେ ଖୋଜାଖୋଜି କରିଥିଲେ ବି ସେମାନଙ୍କର କୌଣସି ପତ୍ତା ମିଳିନଥିଲା।

Advertisment

ଶେଷରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ସଂସ୍ଥା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ୨/ ୩ ଘଣ୍ଟା ଖୋଜିବା ପରେ ତିନିଜଣଙ୍କୁ ନଦୀଗର୍ଭରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରଥମେ ସେମାନଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ତିନିଜଣ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ନଦୀରେ କମ୍‌ ପାଣି ଥିବାବେଳେ, ନଦୀକୂଳିଆ ପିଲାମାନଙ୍କ ଏଭଳି ମୃତ୍ୟୁ ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପରିବାର ସହ ସମଗ୍ର ଗାଁ କାନ୍ଦବୋବାଳିରେ ଫାଟିପଡ଼ୁଛି। ଗାଁରେ ଚୁଲି ଜଳିନଥିବା ବେଳେ ସମସ୍ତେ ଏହି ପିଲାମାନଙ୍କୁ ଝୁରିହେଉଛନ୍ତି। ଏଥିସହିତ, କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି।