କେସିଙ୍ଗା/ ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା କନିଷ୍ଠ କଲେଜର ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କେସିଙ୍ଗା ବ୍ଲକ୍ କୋକୋମୁଣ୍ଡା ଗ୍ରାମର ମୀନକେତନ ମାଝୀ, କୋକୋଡ଼ମାଳ ଗ୍ରାମର ଠାକୁର ଜାଲ ଏବଂ ଅଧମୁଣ୍ଡା ଗ୍ରାମର ତ୍ରିଦେବ ବଗର୍ତ୍ତି। ଜାମିନ ନାମଞ୍ଜୁର ହେବାରୁ ତିନି ଜଣ ଅଭିଯୁକ୍ତଙ୍କୁ ଭବାନୀପାଟଣା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, ଗତ ବୁଧବାର ଉତ୍କେଲା କନିଷ୍ଠ କଲେଜର ୪ ଜଣ ଛାତ୍ରଙ୍କୁ ସ୍ଥାନୀୟ କିଛି ଅଣଛାତ୍ର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରି ଭିଡିଓ ଭାଇରାଲ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଚାରିଜଣ ଛାତ୍ର ଓ କଲେଜ ଅଧ୍ୟକ୍ଷ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ମୀନକେତନ, ଠାକୁର ଓ ତ୍ରିଦେବଙ୍କୁ ଗିରଫ କରିଥିଲା। ସୋମବାର ୨୯୪, ୩୪୧, ୩୨୩, ୩୨୫, ୩୦୭, ୫୦୬, ୩୭୯, ୩୪ ଆଇପିସି, ୬୬ ଡି, ୭ ସିଆର୍ଏଲ୍ଏ ଧାରା ଲଗାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କେସିଙ୍ଗା ଥାନା ଏସ୍ଆଇ ସୋନାଲିସା ବିଶ୍ୱାଳ ସୂଚନା ଦେଇଛନ୍ତି। ଘଟଣାରେ ସାମିଲ ଥିବା ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ମଧ୍ୟ ପୁଲିସ ଧରିବାରେ ତନାଘନା ଜାରି ରଖିଛି।
ଏହି ଘଟଣା ସ୍ପର୍ଶକାତର ହୋଇଥିବାରୁ ପୁଲିସ ଶୀଘ୍ର ପଦକ୍ଷେପ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଏସ୍ଡିପିଓ ଅଜୟ ଦାସ କହିଛନ୍ତି। ଅନ୍ୟପକ୍ଷରେ କେସିଙ୍ଗା ଓକିଲ ସଂଘ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ସଂଘର କୌଣସି ଓକିଲ ଅଭିଯୁକ୍ତମାନଙ୍କ ତରଫରୁ କେସ୍ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଅନ୍ୟ ଓକିଲ ସଂଘଗୁଡ଼ିକୁ ମଧ୍ୟ କେସ୍ ନ ଲଢ଼ିବା ପାଇଁ ଅପିଲ୍ କରାଯାଇଛି ବୋଲି କେସିଙ୍ଗା ଓକିଲ ସଙ୍ଘ ସଭାପତି ପ୍ରକାଶ ଦାସ ଓ ସଂପାଦକ ଆଲୋକ ଦାସ ସୂଚନା ଦେଇଛନ୍ତି। ଫଳରେ ଆଜି କେସିଙ୍ଗା କୋର୍ଟରେ କୌଣସି ଓକିଲ ଅଭିଯୁକ୍ତମାନଙ୍କ କେସ୍ ନେଇ ନଥିଲେ।