ମାଟ୍ରିକ୍‌ ପରୀକ୍ଷା ଆରମ୍ଭରୁ ବିଭ୍ରାଟ: ଆଡ୍‌ମିଟ୍‌କାର୍ଡ ପାଇବାରୁ ବାଦ୍‌ ପଡ଼ିଲେ ୩ ଛାତ୍ର

କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ ଡିଇଓ

କେସିଙ୍ଗା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବ୍‌ଡିଭିଜନ୍‌ ପର୍ଲା ଏ.ପି. ଦାସ ନୋଡାଲ ହାଇସ୍କୁଲ୍‌ର ୩ ଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ପାଇଁ ଆଡମିଟ୍‌କାର୍ଡ ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଗୁରୁବାର ଜିଲ୍ଲାପାଳ, ଧର୍ମଗଡ଼ ଉପଜିଲ୍ଲାପାଳ, ଡିଇଓ ଆଡମିଟ୍‌କାର୍ଡ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ, ବୋର୍ଡ ପାଖରେ କିଛି ତଥ୍ୟ ନଥିବାରୁ ସେ ହାତ ଟେକିଦେଇଛି। ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷାଅଧିକାରୀ ସୁଶାନ୍ତ ଚୋପଦାର ଅସନ୍ତୋଷ ପ୍ରକାଶ କରି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଯାହାର ଭୁଲ୍‌ ଥିବ ସେମାନଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ଶିକ୍ଷାବିଭାଗର ନିର୍ଦେଶକଙ୍କୁ ସୁପାରିସ କରାଯିବ ବୋଲି ଡିଇଓ କହିଛନ୍ତି।

ଏହି ସ୍କୁଲ୍‌ର ମୋହିତ ବଡ଼ତିଆ, ଠନ ସୁନ୍ଦର ମସରା ଓ ଅନ୍ୟ ଜଣେ ମାଟ୍ରିକ୍‌ ପରୀକ୍ଷା ଫଳରେ ଅସନ୍ତୋଷ ପ୍ରକାଶ କରିଥିଲେ। ପୁଣିଥରେ ସ୍କୁଲ୍‌ ମାଧ୍ୟମରେ ଅଫଲାଇନ୍‌ ମେଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ ଅନ୍‌ଲାଇନ୍‌ରେ କରିଥିଲେ। ଯେତେବେଳେ ଫର୍ମ ପୂରଣ ହୋଇଥିଲା ସେତେବେଳେ ସ୍କୁଲ୍‌ କର୍ତ୍ତୃପକ୍ଷ କମ୍ପ୍ୟୁଟରରୁ ଫଟୋ ଉଠାଇ ପୂରଣ ହୋଇଥିବା କହିଥିଲେ। ଏହି ୩ ଛାତ୍ର ପରୀକ୍ଷା ପାଇଁ ପଢ଼ାପଢ଼ି ଆରମ୍ଭ କରି ଦେଇଥିଲେ। କିନ୍ତୁ ପରୀକ୍ଷା ପୂର୍ବରୁ ଆଡମିଟ୍‌କାର୍ଡ ନଆସିବାରୁ ସେମାନେ ସ୍କୁଲ୍‌କୁ ଯାଇଥିଲେ। ହେଲେ ସ୍କୁଲ୍‌ କର୍ତ୍ତୃପକ୍ଷ ବୋର୍ଡ ଉପରେ ଦୋଷ ଲଦି ଏମାନଙ୍କୁ ଭୁତାଇବାକୁ ଚେଷ୍ଟା କରିଥିଲେ। କିଛି ଲୋକ ଏହି ଖବର ଜାଣିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ, ଧର୍ମଗଡ଼ ଉପଜିଲ୍ଲାପାଳ ଓ କଳାହାଣ୍ଡି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନୁସନ୍ଧାନରୁ ଜଣାପଡ଼ିଲା ଯେ ସ୍କୁଲ୍‌ କର୍ତ୍ତୃପକ୍ଷ ଫର୍ମ ପୂରଣ କରିନାହାନ୍ତି। କର୍ତ୍ତୃପକ୍ଷ ସରଭର ସ୍ଲୋ କଥା ସଫେଇ ଦେଉଥିବା ବେଳେ ଡିଇଓ ଶ୍ରୀ ଚୋପଦାର ୩ରୁ ୧୫ ଯାଏ ଫର୍ମ ପୂରଣ ଥିଲା, କ’ଣ ସବୁଦିନ ସରଭର ସ୍ଲୋ ଥିଲା ବୋଲି ପ୍ରଶ୍ନ କରିଛନ୍ତି। ଯଦି କିଛି ଅସୁବିଧା ଥିଲା ଆଗରୁ ନଜଣାଇ ପରୀକ୍ଷାର କେଇ ଘଣ୍ଟା ପୂର୍ବରୁ କାହିଁକି ଜଣାଇଲେ ବୋଲି କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଏହି ୩ ଛାତ୍ରଙ୍କ ଭବିଷ୍ୟତ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର