ଅନଲାଇନ୍‌ରେ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପର ବୁକିଂ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରାଜଧାନୀରେ ଥିବା ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପର ଅନ୍‌ଲାଇନ୍‌ ବୁକିଂ ତଥା ସଂରକ୍ଷଣର ଶୁଭାରମ୍ଭ କରାଯାଇଛି। ଆଜି ଅପରାହ୍‌ଣରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅନଲାଇନ୍‌ ବୁକିଂ ବ୍ୟବସ୍ଥାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ତେଣୁ ଏଣିକି ଆଉ କେଉଁଠିକି ନଯାଇ, ଯେକୌଣସି ପ୍ରାନ୍ତରେ ଥାଇ ଘରେ ବସି ଅନଲାଇନ୍‌ରେ ୩ ପ୍ରେକ୍ଷାଳୟକୁ ବୁକିଂ ତଥା ସଂରକ୍ଷଣ କରାଯାଇପାରିବ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏ ଦିଗରେ ସହାୟତା ଯୋଗାଇ ଦେଇଛି।

କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ, ଜାତୀୟ ସୂଚନା କେନ୍ଦ୍ରର ବୈଷୟିକ ନିର୍ଦେଶକ ବିଭୁ ପ୍ରସାଦ ମିଶ୍ର ପ୍ରମୁଖ ଅନଲାଇନ ବ୍ୟବସ୍ଥାର ପରିଚାଳନା ଓ ନିରପେକ୍ଷତା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦେଶିକା ଡ.ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ‘ସଂସ୍କୃତି ଚର୍ଚ୍ଚା’ର ପ୍ରଥମ ଖଣ୍ଡ ଲୋକାର୍ପିତ ହୋଇଥିଲା। ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ.ଶେଖ୍‌ ସୁଲେମାନ ଅଲ୍ଲି ଲୋକାର୍ପଣ ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର