ଲକର୍‌ ତାଡ଼ି ଚୋରି, ୩ ଗିରଫ, ଚୋରି ସାମଗ୍ରୀ ଜବତ

ଯୁଯୁମୁରା: ଯୁଯୁମୁରା ଥାନା ଡଙ୍ଗରପଡ଼ା ପଞ୍ଚାୟତ ହିରୋ ଗ୍ରାମର ଜଣଙ୍କ ଘରେ ପଶି ଲକର ତାଡ଼ି ଚୋରି କରିବା ଅଭିଯୋଗରେ ପୁଲିସ ରବିବାର ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ନୀଳାଞ୍ଚଳ ପ୍ରଧାନ (୨୭), ପ୍ରଦୀପ ମହାକୁଡ଼ (୨୭) ଓ ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ନିତିଲ ଭିଟ୍ଟଲ ପାଟିଲ୍‌ (୪୫)। ସେ ଏଠାରେ ସମ୍ବଲପୁର ଟାଉନ୍‌ ଥାନା ଅଧୀନ ହାଟପଡ଼ାରରେ ରହୁଛି।

ପୁଲିସ ସୂଚନା ଅନୁଯାୟୀ ହିରୋ ଗ୍ରାମର ରମଣି ପ୍ରଧାନ (୪୦) ଶନିବାର କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପରିବାର ସହିତ ଜଣେ ପଡ଼ୋଶୀଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ଫେରିବା ପରେ ତାଙ୍କ ଲକର ଭାଙ୍ଗି କେହି ଦୁର୍ବୃତ୍ତ ସୁନା ନେକ୍‌ଲେସ୍‌, ମଙ୍ଗଳସୂତ୍ର, ପାଉଁଜି, କାନଫୁଲ ଏବଂ ୧୪ ହଜାର ଟଙ୍କା ନେଇଯାଇଛି।

ସେ ଏହର ଖୋଜଖବର ନେଉଥିବା ବେଳେ ପଡ଼ିଆବାହାଲରେ ଏକ ହୋଟେଲ୍‌ କରିଥିବା ତାଙ୍କ ଗ୍ରାମର ନରେଶ ପ୍ରଧାନ ସୂଚନା ଦେଇଥିଲେ ନୀଳାଞ୍ଚଳ ତାଙ୍କ ହୋଟେଲ୍‌କୁ ଆସି କିଛି ସୁନା ଓ ରୁପା ଅଳଙ୍କାର ତାକୁ ବିକ୍ରି କରିବାକୁ କହିଥିଲେ, ମାତ୍ର ସେ ଏସବୁ କିଣିବାକୁ ମନା କରି ଦେଇଥିଲେ।  ପରେ ସେ ଜାଣିବାକୁ ପାଇଥିଲେ ଯେ ଗ୍ରାମର ନୀଳାଞ୍ଚଳ ଓ ପ୍ରଦୀପ ଏହି ‌‌ସବୁ ଅଳଙ୍କାର ରମଣିଙ୍କ ଘରୁ ଚୋରି କରିଥିଲେ। ପୁଲିସ କେସ୍‌ ନମ୍ବର ୪୧/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ ସହିତ ୧୮୦୦ ଟଙ୍କା ଓ ଏକ ସ୍କ୍ରୁ ଡ୍ରାଇଭର୍‌ ଜବତ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର