ଭୁବନେଶ୍ବର: ସ୍ନାତକ ମହାବିଦ୍ୟାଳୟ ତଥା ଯୁକ୍ତ୩ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ପୂରଣ ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। କିଛି ମାସ ତଳେ ୯୦୦ରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏବର୍ଷ ଆଉ ୩ ହଜାର ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ପାଖାପାଖି ହଜାରେ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଦୁଇରୁ ତିନି ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ।
୪୭୬ ପଦବି ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ
ଜୁଲାଇ-ଅଗଷ୍ଟରେ ଅତିଥି ଅଧ୍ୟାପକ ଚୟନ
ବିଏଡ୍ କଲେଜର ଶିକ୍ଷକ ପଦବି ପୂରଣ ହେବ
ଓଡ଼ିଆ, ଇତିହାସ ଓ ହିନ୍ଦୀ ବିଷୟରେ ୪୭୬ ଅଧ୍ୟାପକ ନିଯୁକ୍ତି ଲାଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ବୋର୍ଡ(ଓଏସ୍ଏସ୍ବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ସବୁ କିଛି ଠିକ୍ ଚାଲେ ତେବେ ସେପ୍ଟେମ୍ବର ମାସ ବେଳକୁ ନୂତନ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ। ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବିଗୁଡ଼ିକ ପୂରଣ ଦିଗରେ ବିଭାଗ ଗୁରୁତ୍ବ ଦେଇଛି। ଓପିଏସ୍ସି ଦ୍ବାରା କରାଯାଉଥିବା ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଉଛି। ଯେଉଁ କିଛି ପଦବି ବାକି ରହିଛି ତାହାକୁ ପୂରଣ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓପିଏସ୍ସିକୁ ଚିଠି ଲେଖାଯିବ।
ବିଏଡ୍ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୨-୨୩ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଉକ୍ତ ଶିକ୍ଷାନୁଷ୍ଠାନରେ ପ୍ରାୟ ୪୦୦ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନିଯୁକ୍ତି ସମୟରେ ବିଭିନ୍ନ ବର୍ଗଙ୍କ ଲାଗି ଥିବା ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।
ଅନ୍ୟପକ୍ଷରେ ଅଫ୍ଲାଇନ୍ କ୍ଲାସରୁମ୍ ଶିକ୍ଷା ଆରମ୍ଭ ହୋଇଥିବାରୁ ନିର୍ଧାରିତ ସମୟ ସୁଦ୍ଧା ପାଠ୍ୟକ୍ରମ ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ ଆଜି ସମସ୍ତ ସରକାରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ପାଠପଢ଼ାକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ଥିବାରୁ ନିଯୁକ୍ତ ହୋଇଥିବା ଅତିଥି ଅଧ୍ୟାପକଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି। ନିଯୁକ୍ତ ହୋଇଥିବା ଅତିଥି ଅଧ୍ୟାପକମାନେ ଅଗଷ୍ଟ ୩୧ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବାକୁ ଅନୁମତି ଦିଆଯାଇଛି। ଏଥିସହ ନୂତନ ବ୍ୟାଚ୍ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜୁଲାଇ ଓ ଅଗଷ୍ଟ ମାସରେ ହେବ ଏବଂ ସେମାନଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ୨୦୨୪ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ। ନୂତନ ଅତିଥି ଅଧ୍ୟାପକମାନେ ଅକ୍ଟୋବର ପହିଲା ସୁଦ୍ଧା କାର୍ଯ୍ୟରେ ଯୋଗଦେବେ। ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଲାଗି ନୂତନ ନିର୍ଦେଶାବଳୀ ଖୁବ୍ଶୀଘ୍ର ଜାରି ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/40-15.jpg)