ଦିନକୁ ତିନି ଓଳା ସୁଷମ ଖାଦ୍ୟ : ରୋଗୀଙ୍କ ପାଇଁ ୫୦ ଟଙ୍କା, କଏଦୀଙ୍କ ପାଇଁ ୬୪

କଟକ : ଦିନକୁ ୩ ଓଳା ଖାଦ୍ୟ ଖାଇବା ପାଇଁ କଟକ ବଡ଼ ମେଡିକାଲରେ ପ୍ରତ୍ୟେକ ରୋଗୀ ପିଛା ସରକାର ଦେଉଛନ୍ତି ୫୦ ଟଙ୍କା। ଅର୍ଥାତ ଗୋଟିଏ ଓଳା ପାଇଁ ହାରାହାରି ଭାବେ ୧୬ ଟଙ୍କା ଦିଆଯାଉଥିବା ବେଳେ ରୋଗୀ ସୁଷମ ଖାଦ୍ୟ ଖାଇବେ ବୋଲି ବ୍ୟବସ୍ଥା ରହିଛି। ସେହି ସମୟରେ କିନ୍ତୁ ଜେଲରେ ଥିବା କଏଦୀଙ୍କ ପାଇଁ ସରକାର ୩ ଓଳାକୁ ଦେଉଛନ୍ତି ୬୪ ଟଙ୍କା। ଅର୍ଥାତ କଏଦୀଙ୍କୁ ଓଳିଏ ଖାଦ୍ୟ ପାଇଁ ସରକାର ଦେଉଛନ୍ତି ହାରାହାରି ଭାବେ ୨୧ ଟଙ୍କା। ସୁଷମ ଖାଦ୍ୟ ଆବଶ୍ୟକ କରୁଥିବା ବଡ଼ ମେଡିକାଲ ରୋଗୀଙ୍କ ପାଇଁ ୧୬ ଟଙ୍କା ଏବଂ ଜେଲରେ ଥିବା କଏଦୀଙ୍କ ପାଇଁ ୨୧ ଟଙ୍କା ବ୍ୟବସ୍ଥା କରି ସରକାର କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ବୋଲି ଏବେ ପ୍ରଶ୍ନ ଉଠୁଛି।

ପ୍ରଥମତଃ ବର୍ତ୍ତମାନର ବଜାର ଦର ଅନୁସାରେ ୧୬ ଟଙ୍କାରେ ଗୋଟିଏ ସୁଷମ ଖାଦ୍ୟ ମିଲ୍‌ ରୋଗୀଙ୍କୁ ଦେବା ଅସମ୍ଭବ ହୋଇ ପଡ଼ୁଛି। ଜଣେ ରୋଗୀ ୫୦ ଟଙ୍କାରେ ସକାଳ ଜଳଖିଆ, ଦିନ ଓ ରାତିର ମିଲ୍‌ ଖାଇବ। ତା’ଭିତରେ ସପ୍ତାହକୁ ୪ଦିନ ଆମିଷ ଖାଦ୍ୟ ଖାଇବ। ଯଦି କୌଣସି ରୋଗୀ ରନ୍ଧାଖାଦ୍ୟ ଖାଇବାକୁ ଆଗ୍ରହ ପ୍ରକାଶ ନ କରନ୍ତି ତେବେ ଉକ୍ତ ରୋଗୀଙ୍କୁ ପ୍ରତ୍ୟହ ୫୦ ଟଙ୍କାର ପାଉଁରୁଟି, କ୍ଷୀର, ବିସ୍କୁଟ ଓ ଅଣ୍ଡା ଏକକାଳୀନ ପ୍ରଦାନ କରାଯିବ। ବାସ୍ତବରେ ଜଣେ ରୋଗୀ ଏଭଳି ୫୦ ଟଙ୍କାର ଖାଦ୍ୟରେ କେତେ ପରିମାଣରେ ଉପକୃତ ହୋଇ ପାରୁଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଅନ୍ୟପଟେ ଜେଲରେ ଥିବା ଜଣେ କଏଦୀଙ୍କୁ ଦିନକୁ ୩ଥର ଅର୍ଥାତ୍‌ ସକାଳ ଜଳଖିଆ, ମିଲ ଓ ସଂଧ୍ୟା ପୂର୍ବରୁ ଖାଇବା ଦିଆଯାଇଥାଏ। ସେମାନଙ୍କୁ ମାସରେ ପ୍ରାୟ ୧୦ ଦିନ ଆମିଷ ଭୋଜନ ଦିଆଯାଇଥାଏ। ଏଥିସହ ମାସର ପ୍ରତ୍ୟେକ ଗୁରୁବାର ସୋୟାବିନ୍‌ ଦିଆଯିବ। ପ୍ରତ୍ୟେକ ଦିନର ଡାଏଟ୍‌ ଚାର୍ଟ ବି ରହିଛି। ଏଥିପାଇଁ ସରକାର ଜଣେ କଏଦୀ ପିଛା ୬୪ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରିଛନ୍ତି। ଏହାବି ପର୍ଯ୍ୟାପ୍ତ ହେଉ ନଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି। କିନ୍ତୁ ସରକାର ଯଦି କଏଦୀଙ୍କ ପାଇଁ ୬୪ ଟଙ୍କା ଧାର୍ଯ୍ୟ କରି ପାରୁଛନ୍ତି ତେବେ ରୋଗୀଙ୍କ ପାଇଁ ୫୦ ଟଙ୍କାରେ କେଉଁ ଯୁକ୍ତି ଆଧାରରେ ଅଟକିଛନ୍ତି ବୋଲି ପ୍ରଶ୍ନ ଉଠୁଛି। ଅବଶ୍ୟ ସରକାର କ୍ୟାନସର ଓ ଯକ୍ଷ୍ମା ରୋଗୀଙ୍କ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି।

ଏଭଳି ଅବାସ୍ତବ ଦେୟ ଧାର୍ଯ୍ୟ ଯୋଗୁଁ ଏହା ଦୁର୍ନୀତିର ବାଟ ଫିଟାଉଥିବା ଅଭିଯୋଗ ହେଉଛି। ଏଭଳି କମ୍‌ ମୂଲ୍ୟରେ ପ୍ରଥମରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଠିକ୍‌ ରହୁ ନାହିଁ। ଦ୍ୱିତୀୟରେ ଯେତିକି ରୋଗୀ ପ୍ରକୃତରେ ଖାଦ୍ୟ ଖାଉଛନ୍ତି, ତା’ଠାରୁ ଢେର ଅଧିକ ତାଲିକା ପ୍ରସ୍ତୁତ କରି ଟଙ୍କା ଉଠାଇବାକୁ ମଧ୍ୟ ବିଭିନ୍ନ ସମୟରେ ଉଦ୍ୟମ ହେଉଛି। ତେଣୁ ବାସ୍ତବ ସ୍ଥିତିର ସମୀକ୍ଷା କରି ସରକାର ଖାଦ୍ୟ ଦର ଧାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର