କୋରାପୁଟ: କୋରାପୁଟ ଜିଲ୍ଲାର ପରିବର୍ତ୍ତିତ ଜଳବାୟୁ ଗୋଲମରିଚ ଚାଷକୁ ପ୍ରଭାବିତ କରିଛି। ଅସମୟରେ ବର୍ଷା ଏବଂ ପ୍ରବଳ ଗରମ ଯୋଗୁଁ ଉତ୍ପାଦନ ହ୍ରାସ ପାଉଛି ନଚେତ ବିଳମ୍ବରେ ଉତ୍ପାଦନ ହେଉଛି। ଏମିତି ସ୍ଥିତିରେ ଉତ୍ପାଦନକୁ ସୁରକ୍ଷିତ ରଖିବାକୁ ଚାଷୀ ନିକଟରେ ସାଧନ ନାହିଁ। ଯାହାଫଳରେ କୋରାପୁଟ ଜିଲ୍ଲାରେ ଉତ୍ପାଦନ ସତ୍ତ୍ବେ ଗୋଲମରିଚ ଦର ସ୍ଥାନୀୟ ବଜାରରେ ଦୁଇ ମାସ ମଧ୍ୟରେ ୩ଗୁଣା ବଢ଼ି ସାରିଲାଣି। ଜୁନ୍‌ ମାସରେ କୋରାପୁଟ ଜିଲ୍ଲାରେ ଗୋଲମରିଚ କିଲୋ ପିଛା ଦର ୪ଶହ ଟଙ୍କା ଥିଲା। ଚଳିତ ମାସରେ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଯେଉଁ ଗତିରେ ଦର ବଢ଼ୁଛି ଡିସେମ୍ବର ବେଳକୁ ୧୮ଶହ ଟଙ୍କା ଟପିଯିବ ବୋଲି କୁହାଯାଉଛି।

Advertisment

ଚଳିତ ବର୍ଷ ଗୋଲମରିଚ ଅମଳ ପୂର୍ବରୁ ବର୍ଷା ହୋଇଥିଲା। ଉତ୍ପାଦନ ସମୟରେ ପାଗ ଖରାପ ଚାଷୀଙ୍କ ଚିନ୍ତାଙ୍କୁ ବଢ଼ାଇଥିଲା। ତଥାପି ଚାଷୀ ଭଲ ଉତ୍ପାଦନ କରିଥିଲେ। କିନ୍ତୁ ଗଚ୍ଛିତ କରି ରଖିବା ପାଇଁ ଚାଷୀଙ୍କ ନିକଟରେ ଭିତ୍ତିଭୂମି ନାହିଁ। ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସୁବିଧା ଯୋଗାଇ ଦିଆଯାଉନି। ଏମିତି ସ୍ଥିତିରେ ନଷ୍ଟ ହୋଇଯିବାର ସମ୍ଭାବନା ଦେଖି ରାଜ୍ୟ ବାହାର ବ୍ୟବସାୟୀଙ୍କୁ ବିକ୍ରି କରିଦେଲେ। କିନ୍ତୁ ବ୍ୟବସାୟୀ ତାହାକୁ କିଣିବା ପରେ ବଜାର ଦରକୁ ଏବେ ନିୟନ୍ତ୍ରଣ କରୁଛନ୍ତି। ଅମଳ ସମୟରେ ରାଜ୍ୟ ବାହାର ବ୍ୟବସାୟୀ କିଲୋ ପିଛା ୪ଶହ ଟଙ୍କାରେ କିଣିଥିଲେ। ଯାହାକୁ ବର୍ତ୍ତମାନ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଏପରିକି ଓଡ଼ିଶାରୁ‌ ଗୋଲମରିଚ ନେଇ ଆନ୍ଧ୍ର ନିଜସ୍ବ ବଜାର ସୃଷ୍ଟି କରି ଦର ନିୟନ୍ତ୍ରଣ କରୁଛି। କୋରାପୁଟ, ଲମତାପୁଟ, ଦଶମନ୍ତପୁର, ନନ୍ଦପୁର, ପଟାଙ୍ଗି ବ୍ଲକ୍‌ରେ ସରକାରୀ ପ୍ରୋତ୍ସାହନରେ ୪୫ହେକ୍ଟର ଜମିରେ ଗୋଲମରିଚ ଚାଷ କରାଯାଉଛି। ସେହିପରି ଲମତାପୁଟ, ନନ୍ଦପୁର ଓ ପଟାଙ୍ଗି ବ୍ଲକ୍‌ରେ ୫୬ହେକ୍ଟର ଜମିରେ ଚାଷୀ ନିଜସ୍ବ ଉଦ୍ୟମରେ ଚାଷ କରୁଛନ୍ତି। ସାଧାରଣତଃ କୋରାପୁଟ ଜିଲ୍ଲାରେ ଗୋଲମରିଚ ଅମଳ ଜାନୁଆରି ଶେଷ ସପ୍ତାହରୁ ଆରମ୍ଭ ହୋଇ ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଲିଥାଏ। ସେହିପରି ମେ ମାସରୁ ଜୁନ୍‌ ମାସ ମଧ୍ୟରେ ଗଛରେ ଫୁଲ ଧରିଥାଏ। ଗତବର୍ଷ ଗଛରେ ଭଲ ଫଳ ହୋଇଥିଲେ ମଧ୍ୟ ଅମଳ ସମୟରେ ବର୍ଷା ହୋଇଥିଲା। ତେଣୁ ଅମଳ ବିଳମ୍ବ ସହ ପରିମାଣ କମିଥିଲା। ହେକ୍ଟର ପିଛା ୮୩୦ରୁ ୧୦୮୦ କୁଇଣ୍ଟାଲ ଅମଳ ହୋଇଥିଲା।

ଗୋଲମରିଚ ଏକ ବ୍ୟବସାୟିକ ମସଲା ଜାତୀୟ ଚାଷ। ଜୟପୁର, କୋରାପୁଟ, ଲକ୍ଷ୍ମୀପୁର, ନାରାୟଣପାଟଣା, ବୋରିଗୁମ୍ମା, ବୈପାରିଗୁଡା, ପଟାଙ୍ଗି, ନନ୍ଦପୁର, ଲମତାପୁଟ, ସେମିଳିଗୁଡା, ବୈପାରିଗୁଡା ଓ କୁନ୍ଦୁରା ବ୍ଲକରେ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଛି। ଗଛ ୮ରୁ ୧୦ ମିଟର ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ୨୫ରୁ ୩୦ବର୍ଷ ପର୍ଯ୍ୟନ୍ତ ଭଲ ଫଳ ଦେଇଥାଏ। ଗୋଟିଏ ଗଛ ପ୍ରାୟ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଉଦ୍ୟାନକୃଷି ବିଭାଗ ପକ୍ଷରୁ ଏଠାରେ ପାନିଭ, ଶୁଭକରା, ଶ୍ରୀକରା, ପଞ୍ଚମୀ, ପୌର୍ଣ୍ଣମୀ, ଗିରିମୁଣ୍ଡା, ପନିୟୁର-୧, ପନିୟୁର-୨, ପନିୟୁର-୩, ପନିୟୁର-୪, ପନିୟୁର-୫, ଶ୍ରୀକର, ବାଲାନକୋଟା, କାଲୁଭାଲି, କାରିମୁମୁଣ୍ଡା, କୁଥିରାଭାଲି, ପଞ୍ଚମୀ, ନାରାୟାକୋଡ଼ି, କୋଟାନଡ଼ନ ଶକ୍ତି କିସମ ଗୋଲମରିଚ ଚାଷ ହେଉଛି।

ଚାଷୀ ତ୍ରିଲୋଚନ ତ୍ରିପାଠୀ କହିଛନ୍ତି, ଚଳିତବର୍ଷ ୨ହେକ୍ଟର ଜମିରୁ ଭଲ ଅମଳ ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁ ଖରାପ ହେବା ଆଶଙ୍କାରେ ତରତର ହୋଇ ବିକ୍ରି କରିଦେଲୁ। ଏବେ ୩ଗୁଣା ଦରରେ ବଜାରରେ ବିକ୍ରି ହେଉଛି। ଦର ବଢ଼ିଥିଲେ ସୁଦ୍ଧା ଆମେ ଉଚିତ ମୂଲ୍ୟ ପାଇଲୁନାହିଁ, ଦେଖିଲେ କଷ୍ଟ ଲାଗୁଛି। କୋରାପୁଟ ମସଲା ବୋର୍ଡ ଅଧିକାରୀ ରାଣୀ ନାଲ୍ଲାବେଲ୍ଲୀଙ୍କ କହିବା ହେଲା, ଏଥର ଅମଳ ବିଳମ୍ବ ହେବାରୁ ଚାଷୀ ଆତଙ୍କିତ ହୋଇ ବିକ୍ରି କରିଦେଲେ। ଯାହାଫଳରେ ବ୍ୟବସାୟୀ ଦର ବଢ଼ାଇ ଦେଇଛନ୍ତି।