ଟିଟୋ ସାମ୍ରାଜ୍ୟରେ ପୁଣି ଚଡ଼କ : ଏସ୍‌ଟିଏଫ୍ ପଞ୍ଝାରେ ୨ ଭାଇ, ସଢ଼ୁ

ରନ୍ଥା ଅପହରଣ, ସୁଲେମାନ ହତ୍ୟା ମାମଲାରେ ସଂପୃକ୍ତ ଥିଲେ

କେନ୍ଦ୍ରାପଡ଼ା : ଦୀର୍ଘ ୬ ମାସର ବ୍ୟବଧାନ ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଜି ଗ୍ୟାଙ୍ଗ୍‌ଷ୍ଟାର୍‌ ଟିଟୋ ସାମ୍ରାଜ୍ୟରେ ଚଢ଼ାଉ କରିଛି। ତା’ର ଘରୁ ୨ ଭାଇ ଓ ଜଣେ ସଂପର୍କୀୟଙ୍କୁ ଆଜି ଉଠାଇ ନେଇଛି। ଏହି ଘଟଣା ଟିଟୋର ଅନ୍ୟ ସହଯୋଗୀଙ୍କୁ ଛାନିଆ କରିଛି।

ଆଜି ବଡ଼ି ଭୋର ସମୟରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ଗ୍ୟାଙ୍ଗଷ୍ଟର ସୟଦ୍ ଉସମାନ୍‌ ଅଲ୍ଲୀ ଓରଫ୍ ଟିଟୋର କେନ୍ଦ୍ରାପଡା ସହର ଅନ୍ତର୍ଗତ ଦିଲାରପୁରସ୍ଥିତ ଘରେ ଚଢ଼ାଉ କରିଥିଲେ। ଟିଟୋର ଦୁଇ ଭାଇ ସୟଦ ଜି.ବାବୁ ଓ ସୟଦ ଚିତ୍ତୋ, ଟିଟୋର ସମ୍ପର୍କୀୟ ସଢୁ ମୁନ୍ନା ଓରଫ ଅମଜାଦ୍‌ ଖାଁକୁ ଉଠାଇ ନେଇଥିଲେ।

ଅପରାଧ ଦୁନିଆର ବାଦଶାହା ବୋଲାଉଥିବା ଟିଟୋକୁ ୨୦୧୮, ଜୁନ ୩୦ ତାରିଖରେ ଏସଟିଏଫ୍‌ ଟିମ୍ ତା’ର ଘରୁ ଉଠାଇ ନେବା ପରେ ଏନ୍‌କାଉଣ୍ଟର କରିଥିଲା। ଏହାପରେ, ଟିଟୋର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟିକ ସଂସ୍ଥା ଉପରେ ଚଢଉ ସହ ବେଆଇନ ଗୋରୁଚାଲାଣ, ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ, ବୋମାମାଡ, ଅପହରଣ ଓ ହତ୍ୟା ଆଦି ମାମଲାର ଛାନ୍‌ଭିନ ଆରମ୍ଭ ହୋଇଥିଲା। ଟିଟୋର ଏକାଧିକ ସହଯୋଗୀଙ୍କୁ ଏସ୍‌ଟିଏଫ ଗିରଫ କରିଥିଲା। କିନ୍ତୁ ଏହି ୩ ଜଣ ଜି.ବାବୁ, ସୟଦ ଚିତ୍ତୋ ଓ ମୁନ୍ନା ଧରା ପଡୁନଥିଲେ। ସେବେଠାରୁ ଫେରାର ଥିଲେ। ଏହି ୩ ଜଣ ଟିଟୋ ଅପରାଧ ସାମ୍ରାଜ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଏବଂ ଦାଦାବଟି ଘଟଣାରେ ଠିକାଦାର ରନ୍ଥା ଓରଫ ଶିବ ପ୍ରସାଦ ପରିଡାଙ୍କୁ ଅପହରଣ ମାମଲା(ନଂ. ୯୯/୧୮)ରେ ସମ୍ପୃକ୍ତ। ସେମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ଉଦ୍ୟମ ଚଳାଇ ଆସୁଥିଲା। ଶେଷ‌େର, ଧରିବାରେ ସଫଳ ହୋଇଛି। ସେମାନଙ୍କୁ ଭୁବନେଶ୍ୱର ଏସ୍‌ଟିଏଫ୍ କାର୍ଯ୍ୟାଳୟକୁ ନେଇ ଜେରା କରାଯାଉଛି।

ଅନ୍ୟପକ୍ଷରେ, ଏହି ୩ ଜଣ ଧରାପଡ଼ିବା ପରେ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ଲମ୍ବା ତାଲିକା ସାମ୍‌ନାକୁ ଆସିଛି। ଜଣାପଡ଼ିଛି ଯେ, ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଟିଟୋର ଭାଇ ଜି ବାବୁ ଓ ଚିତ୍ତୋ ସଂପୃକ୍ତ ଥିଲେ। ସେହିପରି ସୁଲେମାନ ଭାଇ ଚୁନା ହତ୍ୟା ମାମଲା ସମେତ ଏକାଧିକ ହତ୍ୟା, ଅପହରଣ, ଦାଦାବଟି ଆଦାୟ ମାମଲାରେ ବି ଜି. ବାବୁ ସଂପୃକ୍ତ ଥିବା ଅଭିଯୋଗ ରହିଛି। ଟିଟୋର ସଢ଼ୁ ମୁନ୍ନା ଓରଫ୍ ଅମଜାଦ୍ ଖାଁ ନାମରେ ମଧ୍ୟ ଚୁନା ହତ୍ୟା ମାମଲା ରହିଛି। ଚିତ୍ତୋ ନାମରେ ୧୬ଟି ଓ ଜି ବାବୁ ନାମରେ ୧୨ଟି ମାମଲା ଥିବା ସୂଚନା ମିଳିଛି। ୩ ଜଣଙ୍କର ପୁରୁଣା ରେକର୍ଡ଼ ଖୋଳତାଡ ଚାଲିଛି।

ଏହି ତିନି ଜଣ ୨୦୦୫, ଅଗଷ୍ଟ ୧ତାରିଖରେ ପ୍ରଦୀପ ପରିଡା ହତ୍ୟା ମାମଲା (ଜି.ଆର.କେଶ ନମ୍ବର ୫୭୦/୨୦୦୫ର ଆଇ.ପି.ସି.ର ଧାରା ୩୦୨,୧୨୦(ବି) ଓ ୩୪ଦଫା ଏବଂ ୨୫ ଏବଂ ୨୭ ଆର୍ମସ ଆକ୍ଟରେ)ରେ ସଂପୃକ୍ତ ଥିଲେ। କେନ୍ଦ୍ରାପଡା ଟାଉନ ଥାନା (କେଶ ନମ୍ବର ୯୯/୨୦୧୮ର) ଅଞ୍ଚଳରେ ଠିକାଦାର ରନ୍ଥାକୁ ବଳପୂର୍ବକ ଉଠାଇନେଇ ହତ୍ୟା ଉଦ୍ୟମ ଘଟଣାରେ ବି ଏମାନେ ସଂପୃକ୍ତ ଥିଲେ।

୨୦୦୫ରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଂଚଳରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନା ହତ୍ୟା ମାମଲା (କେଶ ନମ୍ବର ୧୫୭/୨୦୦୫ର ଆଇପିସିର ଧାରା ୩୦୨,୧୨୦(ବି),୩୪ ଏବଂ ୨୫ ଓ ୨୭ ଆର୍ମସ ଆକ୍ଟ)ରେ ମଧ୍ୟ ସେମାନେ ସଂପୃକ୍ତ ଥିବା କେନ୍ଦ୍ରାପଡା ପୁଲିସ କହିଛି। କଟକ ସେସନ୍ସ ଜଜ କୋର୍ଟ ଓ ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରେ ମଧ୍ୟ ଏମାନଙ୍କ ବିରୋଧରେ ୧୦ରୁ ଅଧିକ ମାମଲା ବିଚାରାଧିନ ଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସେହିଭଳି, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଦା, ପୁରୀ ଭଳି ବିଭିନ୍ନ ଜିଲ୍ଲାରେ ଚିତ୍ତୋ ନାମରେ ୧୬ରୁ ଅଧିକ, ଜି ବାବୁ ନାମରେ ୧୨ରୁ ଅଧିକ ଏବଂ ମୁନା ନାମରେ ୮ରୁ ଅଧିକ ସଂଗୀନ ମାମଲା ରହିଛି। ୨୦୧୮, ଜୁଲାଇ ୧୨ରେ ଦଫା ୪୪୮, ୫୦୬, ୩୪ ଆଇପିସିରେ ଏସଟିଏଫ ଏହି ୩ ଜଣଙ୍କ ନାମରେ ବି ମାମଲା (ନଂ ୧୦/୧୮) ରୁଜୁ କରିଥିଲା।

ସମ୍ବନ୍ଧିତ ଖବର