ସ୍ୱତନ୍ତ୍ର ଓଜେଇଇରେ ଆଉ ୩ ବିଷୟ ସାମିଲ

ଭୁବନେଶ୍ୱର : ଜୁଲାଇ ୨୨ରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଓଜେଇଇ। ବି.ଟେକ୍‌ ଲାଟେରାଲ ଏଣ୍ଟ୍ରି, ଏମ୍‌ବିଏ ଓ ଏମ୍‌ସିଏ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଏବେ ଏଥିରେ ବି.ଫାର୍ମା, ଏମ୍‌. ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମକୁ ବି ସାମିଲ କରାଯାଇଛି। ଫଳରେ ଏବେ ୬ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଓଜେଇଇ ୨୦୧୮ ବ୍ରୋଚର୍‌ରେ ଉଲ୍ଲେଖ ଥିବା ସିଲାବସ୍‌ ଅନୁଯାୟୀ ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ଜୁଲାଇ ୨୨ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଗତ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆସନ୍ତା ୧୩ ତାରିଖରେ ଶେଷ ହେବ। ଛାତ୍ରଛାତ୍ରୀ ଜୁଲାଇ ୧୮ଠାରୁ ଓଜେଇଇ େଓ୍ଵବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୨୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ୨୭ରୁ ୨୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ର‍୍ୟାଙ୍କ କାର୍ଡ ଡାଉନ୍‌ଲୋଡ କରିବା ସହ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ, ଚଏସ୍‌ ଫିଲିଂ କରିପାରିବେ। ଜୁଲାଇ ୩୦ରେ ପ୍ରଥମ ପର୍ଯ୍ୟାୟ ଆଲଟ୍‌ମେଣ୍ଟ ହେବ। ଅଗଷ୍ଟ ୧ ଓ ୨ରେ ନୋଡାଲ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଅଗଷ୍ଟ ୩ରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ହେବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର