ଟିଟିଲାଗଡ଼ ଓ ରାୟଗଡ଼ା ରେଳ ସେକ୍ସନରେ ପରିଚାଳନାଗତ ସମସ୍ୟା : ୩ଟି ଟ୍ରେନ୍‌ ବାତିଲ୍‌

ଭୁବ‌ନେଶ୍ବର : ଟିଟିଲାଗଡ଼ ଓ ରାୟଗଡ଼ା ରେଳ ସେକ୍ସନରେ ପରିଚାଳନାଗତ ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ରେଳପଥ ପକ୍ଷରୁ ୨୪x୭ ପାଟ୍ରୋଲିଂ କରାଯାଉଛି। ଏଥିସହ ବରିଷ୍ଠ ଅଧିକାରୀମାନେ ମରାମତି କରାଯାଇଥିବା ପ୍ରଭାବିତ ଟ୍ରାକକୁ ସମ୍ପୂର୍ଣ୍ଣ କରିବା ପାଇଁ ଘଟଣାସ୍ଥଳରେ କାର୍ଯ୍ୟ ଜାରି ରଖିଛନ୍ତି। ଏହି ମାର୍ଗ‌ରେ ଅତି କମ୍‌ ବେଗ(ଘଣ୍ଟା ପ୍ରତି ୧୦ କିମି)ରେ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ରେଳ ଟ୍ରାକ୍‌ ଓ ବ୍ରିଜ୍‌ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଯେହେତୁ ପ୍ରଭାବିତ ଟ୍ରାକ୍‌ଠାରେ ଟ୍ରେନ୍‌ର ବେଗକୁ ନିୟନ୍ତ୍ରଣ କରାଯାଉଛି, ତେଣୁ ଏହି ମାର୍ଗରେ ଚଳାଚଳ କରୁଥିବା ଟ୍ରେନ୍‌ ସଂଖ୍ୟାକୁ କମାଇ ଦିଆଯାଇଛି।

ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଲା, ଦୁର୍ଗଠାରୁ ୯ ତାରିଖରେ ଓ ବିଶାଖାପାଟଣାରୁ ୧୦ ତାରିଖରେ ଛାଡ଼ିବାକୁ ଥିବା ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର୍‌, ୧୦ ତାରିଖରେ ସମ୍ବଲପୁରରୁ ଓ ୧୧ ତାରିଖରେ କୋରାପୁଟରୁ ଛାଡ଼ିବାକୁ ଥିବା ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁରରୁ ୧୦ ତାରିଖରେ ଓ ଜୁନାଗଡ଼ ରୋଡ଼ରୁ ୧୧ ତାରିଖରେ ଛାଡ଼ିବାକୁ ଥିବା ସମ୍ବଲପୁର-ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର। ୯ ତାରିଖରେ ହାୱଡ଼ାରୁ ଛାଡ଼ିଥିବା ଓ ୧୦ ତାରିଖରେ ଜଗଦଲପୁରରୁ ଛାଡ଼ିବାକୁ ଥିବା ହାୱଡ଼ା-ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ଟିଟିଲାଗଡ଼ ପର୍ଯ୍ୟନ୍ତ ଚଳାଚଳ କରିବ। ଉଭୟ ଦିଗରୁ ଟିଟିଲାଗଡ଼ ଓ ଜଗଦଲପୁର ମଧ୍ୟରେ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର