୩ ଟ୍ରକ୍ ମଧ୍ୟରେ ଧକ୍କା, ଜଣେ ଚାଳକ ମୃତ, ଜଣେ ଆହତ

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବିଛୁଆଁପଡ଼ା ଛକ ବୁଲାଣିରେ ଏକ କାଳୀନ ୩ଟି ଟ୍ରକ ମଧ୍ୟରେ ଆଗ ପଛ ହୋଇ ଧକ୍କା ହେବା ଫଳରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ ସୋମବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ୍ (ଓଡି ୨୩ଏ-୩୫୪୪) ବ୍ରଜରାଜନଗରରୁ ଛତିଶଗଡ଼କୁ ଯାଉଥିବା ବେଳେ ପଛେ ପଛେ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ (ଓଡି ୦୯କ୍ୟୁ-୦୬୫୬) ବିଛୁଆଁପଡ଼ା ଛକ ବୁଲାଣିରେ ଆଗ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା।

ତେବେ ଦୁର୍ଭାଗ୍ୟ ବଶତଃ ଠିକ ସେହି ସମୟରେ ଛତିଶଗଡ଼ରୁ ଆସୁଥିବା ଏକ ଟ୍ରେଲର୍‌ (ସିଜି ୧୨ଏଏସ-୨୩୨୭)କୁ ଭାରସାମ୍ୟ ହରାଇଥିବା କୋଇଲା ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ୨ଟି ଟ୍ରକ୍‌ ମଝିରେ ଚାପି ହୋଇ ରହିତିବା କୋଇଲା ବୋଝେଇ ଟ୍ରକ୍‌ର ଚାଳକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଲଖନପୁର ଥାନା ଏସ୍‌ଆଇ ଗଣେଷରାମ ସା ପୁଲିସ ଟିମ୍‌ ସହ ପହଞ୍ଚି ଗୁରୁତର ଆହତ ଚାଳକଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଡ୍ରାଇଭର ହେଲେ ବ୍ରଜରାଜନଗର ମଣ୍ଡଳିଆରେ ରହୁଥିବା ବିହାରର ବାସିନ୍ଦା ଅରୁଣ ସିଂହ(୪୫)। ଏହି ଦୁର୍ଘଟଣାରେ ଆହତ ‌ଟ୍ରେଲର ଡ୍ରାଇଭର ଏବେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ୩ଟି ଯାକ ଟ୍ରକକୁ ଜବତ କରିଥିବା ବେଳେ ମଙ୍ଗଳବାର ମୃତ ଡ୍ରାଇଭର ଅରୁଣଙ୍କ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପରେ ତାଙ୍କ ଭଣଜାଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ଏସଆଇ ଶ୍ରୀ ସା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର