ଝାରସୁଗୁଡ଼ା : ଯାଜପୁର ଜିଲ୍ଲା ଧର୍ମଶାଳାରେ ଟ୍ରକ-ଟେଲର ଧକ୍କା ହୋଇ ଚାଳକ ଜୀବନ୍ତ ଜଳିଯିବା ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ବୁଧବାର ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖରେ ୩ଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି।

Advertisment

ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ୟାସ୍‌ କଟର ଯୋଗେ ଟ୍ରକଗୁଡ଼ିକର ବିଭିନ୍ନ ଅଂଶ କଟାଯାଇ ଶବ କଢ଼ାଯାଇଥିଲା। ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଶବଗୁଡ଼ିକ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତକମାନେ ହେଲେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସୋଲଗାଡ଼ିଆର ସିପୁନ ବେହେରା(୨୫), ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗୁଡ୍ଡୁ ସା (୩୨) ଓ ମଧ୍ୟପ୍ରଦେଶ ଛତରପୁରର ବିକ୍ରମ ସିଂ ଯାଦବ।

publive-image

ପୁଲିସ୍‌ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ବେଲପାହାଡ଼ ପଟୁ ଟ୍ରେଲର (ଏନ୍‌ଏଲ୍‌-୦୧ଏବି -୧୭୩୧) ପଥରଗୁଣ୍ଡ ବୋଝେଇ କରି ଝାରସୁଗୁଡ଼ା ଅଭିମୁଖେ ଆସୁଥିଲା। ଠିକ୍‌ ସଦର ଥାନା ସମ୍ମୁଖରେ ବ୍ରଜରାଜନଗର ପଟକୁ ଯାଉଥିବା ଟିପ୍ପର (ଓଡି- ୧୫ଏଫ୍‌-୩୨୩୫)କୁ ଧକ୍କା ଦେଇଥିଲା। ଏହି ସମୟରେ ଟିପ୍ପର ପଛରେ ଅନୁରୂପ ଦିଗରେ ଯାଉଥିବା କୋଇଲା ବୋଝେଇ ଟ୍ରକ୍‌ (ଓଡି-୦୫ ବିଜେ-୯୦୪୩) ଭାରସାମ୍ୟ ହରାଇ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଉଭୟ ଟିପ୍ପର ଓ ଟ୍ରେଲରର ଅଗ୍ରଭାଗ ମଝିରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ତୀବ୍ରତର ଥିଲା ଯେ ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଚମକି ପଡ଼ିଥିଲେ।

ଦୁର୍ଘଟଣାସ୍ଥଳରେ ହିଁ ଟିପ୍ପର ଓ ଟ୍ରେଲର ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କୋଇଲା ଟ୍ରକର ଚାଳକ ସିପୁନ ବେହେରାଙ୍କ ଗୋଡ଼ ଭାଙ୍ଗି ଷ୍ଟିଅରିଂରେ ଫସି ରହିଥିଲା। ହେଲପର ଦୁର୍ଗା ବିଶ୍ବାଳ ତାଙ୍କୁ କାଢ଼ିବାକୁ ସବୁପ୍ରକାର ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ସେତେବେଳେ ତିନୋଟି ଯାକ ଗାଡ଼ିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗି ସାରିଥିଲା। ତେଣୁ ହେଲପର ଦୁର୍ଗା ତଳକୁ ଡେଇଁ ପଡ଼ି ଉଦ୍ଧାର ପାଇଁ ଲୋକଙ୍କୁ ଡାକିଥିଲେ। ମାତ୍ର ଗାଡ଼ିଗୁଡ଼ିକର ତେଲ ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହେବାରୁ କେହି ଉଦ୍ଧାର ପାଇଁ ଯିବାକୁ ସାହସ କରିପାରିନଥିଲେ।

ସୂଚନା ପାଇ ଝାରସୁଗୁଡ଼ାର ୩ଟି ଓ ବେଦାନ୍ତର ଗୋଟିଏ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯିବା ପରେ ମୃତକଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ କଢ଼ାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ ଚାଲିଥିବା ବେଳେ ଝାରସୁଗୁଡ଼ାରେ ପ୍ରତିଦିନ ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନି ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଗତ ୩ ଦିନରେ ଏହା ତୃତୀୟ ବଡ଼ ଦୁର୍ଘଟଣା, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ବାରମ୍ବାର ଏହି ଗୋଟିଏ ସ୍ଥାନରେ ଦୁର୍ଘଟଣା ହେଉଥିବାରୁ ଏହାର ନିରାକରଣ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ଜନସାଧାରଣରେ ଦାବି ହେଉଛି।