ରାଉରକେଲା: ସହରକୁ ଦେଶୀ, ବିଦେଶୀ ଓ ନକଲି ବିଦେଶୀ ମଦ ଚୋରାଚାଲାଣ ଏବେ ସୀମା ଟପିଛି। ପ୍ର‌ାୟ ପ୍ରତିଦିନି ମାଫିଆ ମଦ ଚାଲାଣ କରୁଛନ୍ତି। ବିଶେଷକରି ନକଲି ବିଦେଶୀ ମଦ ଝାଡ଼ଖଣ୍ଡରୁ ଆଣୁଥିବାବେଳେ ଦେଶୀ ମଦ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରୁ ଆଣୁଛନ୍ତି।
Advertisment
ମଦକୁ ସହର ଭିତରେ ଥିବା ବିଭିନ୍ନ ଢାବା/ହୋଟେଲ ତଥା ବସ୍ତି ଅଞ୍ଚଳରେ ବିକ୍ରି କରୁଛନ୍ତି। ଏ ଦିଗକୁ କିନ୍ତୁ ରାଉରକେଲା ଅବକାରୀ ବିଭାଗର ଦୃଷ୍ଟି ପଡୁନି। ପୂର୍ବରୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଥିଲା, ଏବେ କିନ୍ତୁ ତାହା କୌଣସି କାରଣରୁ ବନ୍ଦ ହୋଇଯାଇଛି। ବିଭାଗ ପକ୍ଷରୁ ଶେଷଥର ପାଇଁ ମାସକ ପୂର୍ବେ, ଅର୍ଥାତ୍‌ ଜୁନ୍‌ ୧୯ ତାରିଖରେ ମଦ ଚୋରାଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ଇସ୍ପାତସହରରେ ପାଖାପାଖି ୧୨/୧୫ ଜଣ ମଦ ମାଫିଆ ଅଛନ୍ତି। ଏମାନେ ଝାଡ଼ଖଣ୍ଡରୁ ମଦ ଆଣି ପ୍ରଥମେ ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ରଖୁଛନ୍ତି। ପରେ କାର୍‌, ପିକ୍‌ଅପ୍‌, ମୋଟରସାଇକଲ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ପ୍ରବେଶ କରୁଛନ୍ତି। ଏମାନେ ମୁଖ୍ୟତଃ ତିନିଟି ରାସ୍ତା ଦେଇ ମଦ ଚୋରାଚାଲାଣ କରୁଛନ୍ତି। ସେଗୁଡ଼ିକ ହେଲା, ବୀରମିତ୍ରପୁର, ବନ୍ଧମୁଣ୍ଡା ଓ ଏନ୍‌ଆଇଟି ପଛପଟ ଗେଟ୍‌ ଦେଇ ସହରକୁ ଆଣୁଛନ୍ତି।
ତେବେ ଧରାପଡ଼ିଯିବା ଆଶଙ୍କା ଥିବାରୁ ସେମାନେ ସିଧାସଳଖ ସହର ଭିତରକୁ ମଦ ଆଣୁନାହାନ୍ତି, ବରଂ ବିରକେରା, ଲାଠିକଟା, ନୂଆଗାଁ ପାଖରେ ମଦକୁ ଗଚ୍ଛିତ ରଖୁଛନ୍ତି। ପରବର୍ତ୍ତୀ ସମୟରେ ସହର ଭିତରକୁ ଆଣୁଥିବା ଦେଖିବାକୁ ମିଳୁଛି। ଏମିତିକି ବିଭିନ୍ନ ସମୟରେ ଆମ୍ବାଗାନ୍‌ ମୁଣ୍ଡା ମାର୍କେଟ୍‌ରେ ଗଚ୍ଛିତ ରଖୁଛନ୍ତି।

ପରେ ଏହାକୁ ରାଉରକେଲା ସହର ଭିତରେ ଥିବା ବିଭିନ୍ନ ହୋଟେଲ/ଢାବା ସମେତ ବିଶ୍ରା, ନୂଆଗାଁ, କୋଇଡ଼ା, ଲହୁଣିପଡ଼ା, ଗୁରୁଣ୍ଡିଆ, ବଣାଇଁ, କୋଇଡ଼ାରେ ଥିବା ବିଭିନ୍ନ ଢାବା/ହୋଟେଲକୁ ପଠାଉଛନ୍ତି। ଅସଲି ମଦ ବୋତଲଭଳି ଅବିକଳ ନକଲ କରି ବିକ୍ରି କରୁଛନ୍ତି। ଫଳରେ ଗ୍ରାହକ ଏ ବିଷୟରେ କୌଣସି ସୁରାକ୍‌ ପାଇପାରୁନାହାନ୍ତି। 

ଉଲ୍ଲେଖଯୋଗ୍ୟ, ବିଗତ ଦିନରେ ରାଉରକେଲା କ୍ଲବ୍‌ ପଛପଟ ବସ୍ତି, ବାଲୁଘାଟ, ଜଲଦା, ବିଶ୍ରାସ୍ଥ ଏକ ଘରୋଇ ବିଦ୍ୟାଳୟ ଆଦି ବିଭିନ୍ନ ସ୍ଥାନରେ ନକଲି ମଦ କାରଖାନା ଠାବ କରିଥିଲା। ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡା, ସାରନଗରୀ, ଝିରପାଣି, ବେଦବ୍ୟାସ ଅଞ୍ଚଳରେ ମଧ୍ୟ ବେଆଇନ ମଦ ବେପାର ବେଲଗାମ ହେଲାଣି। ଏସବୁ ଅଞ୍ଚଳରେ ଥିବା ବିଭିନ୍ନ ମାର୍କେଟ ଅଞ୍ଚଳରେ ଛୋଟଛୋଟ ହୋଟେଲକରି ମନମର୍ଜି ବିକ୍ରି କରିଚାଲିଛନ୍ତି। ଅବକାରୀ ବିଭାଗର ଶୂନ କାର୍ଯ୍ୟାନୁଷ୍ଠାନ ମଦ ବେପାରୀଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି।
 sundargarh | Crime